ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ନମାଗିଲେ ବିଜେପି ତରଫରୁ ସାରା ରାଜ୍ୟରେ ଆନେ୍ଦାଳନ କରାଯିବ: ସୁରଥ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶର ସମ୍ବିଧାନ ଓ ଆଇନର ଊଦ୍ଧ୍ୱର୍ରେ କେହି ନୁହନ୍ତି । କିନ୍ତୁ ଗାନ୍ଧୀ ପରିବାର ନିଜକୁ ଦେଶର ଆଇନର ଊଦ୍ଧ୍ୱର୍ରେ ବୋଲି ମନେ କରିବା ଦୁର୍ଭାଗ୍ୟଜନକ । ଏକ ରାଷ୍ଟ୍ରୀୟ ରାଜନୈତିକ ଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀଙ୍କ ପଛୁଆ ବର୍ଗଙ୍କୁ ଅପମାନିତ କଲା ଭଳି ଟିପ୍ପଣୀ ଅକ୍ଷମଣୀୟ । ତୁରନ୍ତ ସେ କ୍ଷମାପ୍ରାର୍ଥନା କରିବା ଉଚିତ୍ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ନିର୍ଦ୍ଦିଷ୍ଟ ଭାବେ ପଛୁଆ ବର୍ଗ ପ୍ରତି ଅଶାଳୀନ ମନ୍ତବ୍ୟ ରାହୁଲଙ୍କ ଦାୟିତ୍ୱହୀନତାକୁ ପ୍ରମାଣିତ କରିଛି, ଯାହା ଦେଶ ପାଇଁ ଏକ ଚିନ୍ତାର କାରଣ ପାଲଟିଛି । ଏହି କାରଣରୁ ମାନ୍ୟବର କୋର୍ଟ ତାଙ୍କୁ ଦୋଷୀ ଭାବେ ଦଣ୍ଡପ୍ରଦାନ ମଧ୍ୟ କରିଛନ୍ତି । ଏହା ସତ୍ୱେ ମଧ୍ୟ ଶ୍ରୀ ଗାନ୍ଧୀ ନିଜ ଭୁଲକୁ ସ୍ୱୀକାର କରି ଦେଶବାସୀଙ୍କୁ ନିସର୍ତ କ୍ଷମା ମାଗିବା ପରିବର୍ତେ ନିଜ ସାମନ୍ତବାଦୀ ମାନସିକତାକୁ ପ୍ରତିଫଳିତ କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଅତୀତରେ ଜନଜାତି ଓ ଦଳୀତ ବର୍ଗଙ୍କୁ ଉପେକ୍ଷିତ କରି ସେମାନଙ୍କୁ ବିକାଶର ଧାରାରୁ ବଂଚିତ ରଖିଆସିଥିବା କଂଗ୍ରେସ ଦଳ ଆଜି ପଛୁଆ ବର୍ଗ ବିରୋଧୀ ବୋଲି ପ୍ରମାଣିତ ହୋଇଛି । ରାହୁଲ ଗାନ୍ଧୀ କେବଳ ଭାରତୀୟ ଜନତା ପାର୍ଟୀକୁ ନୁହେଁ ବରଂ ବିଦେଶ ମାଟିରେ ମଧ୍ୟ ଦେଶକୁ ଅପମାନିତ କରିବାକୁ ପଛାଉନାହାନ୍ତି । ବର୍ତମାନ ବିରୋଧୀ ଦଳର ମାନ୍ୟତା ହରାଇଥିବା କଂଗ୍ରେସ ଦଳର ଅନ୍ୟ ନେତୃବୃନ୍ଦମାନେ ଶ୍ରୀ ଗାନ୍ଧୀଙ୍କ ବକ୍ତବ୍ୟକୁ ସମ୍ମାନ ଜଣାଇବା ସହିତ ସମର୍ଥନ କରିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ରାହୁଲ ଗାନ୍ଧୀଙ୍କ ବିରୋଧୀ ଦଳକୁ ସମାଲୋଚନା କରିବାର ଅଧିକାର ରହିଛି । କିନ୍ତୁ ସମାଲୋଚନା ଆଳରେ ପଦ ମର୍ଯ୍ୟାଦାର ସମ୍ମାନକୁ ହତ୍ୟା କରି ଖରାପ୍ ଆଚରଣ ଓ ଉଚାରଣ ପ୍ରଦର୍ଶନ କରିବା ରାହୁଲ ଗାନ୍ଧୀଙ୍କ ଭଳି ଜଣେ ରାଷ୍ଟ୍ରୀୟ ନେତାଙ୍କଠାରୁ ଆଶା କରାଯାଏନାହିଁ । କଂଗ୍ରେସ ଦଳ ସତରେ ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ବାବଦରେ ଚିନ୍ତିତ ନାଁ ଏହା କଂଗ୍ରେସ ଦଳର ଯୋଜନାବଦ୍ଧ ଷଡଯନ୍ତ୍ର? ତଳ କୋର୍ଟର ଦଣ୍ଡାଦେଶ ପରେ ରାହୁଲ ଗାନ୍ଧୀ ବା କଂଗ୍ରେସ ଦଳ କାହିଁକି ଉପର କୋର୍ଟର ଦ୍ୱାରସ୍ଥ ହେଲେ ନାହିଁ । କର୍ଣ୍ଣାଟକ ନିର୍ବାଚନ ସାମ୍ନା କରିବା ପୂର୍ବରୁ କଂଗ୍ରେସ ଦଳ ରାହୁଲଙ୍କୁ ସହିଦ୍ କରି ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଅପଚେଷ୍ଟା କରୁନାହିିଁ ତ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

କୋର୍ଟଙ୍କ ଦଣ୍ଡାଦେଶ ପରେ କେବଳ ରାହୁଲ ଗାନ୍ଧୀଙ୍କ ସାଂସଦ ସଭ୍ୟପଦ ରଦ୍ଦ ହୋଇଛି ତାହା ନୁହେଁ । ପୂର୍ବରୁ ୩୨ଜଣଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିବାର ନଜିର ରହଥିବାବେଳେ ସେଥିମଧ୍ୟରେ ଭାରତୀୟ ଜନତା ପାର୍ଟିର ୬ଜଣ ସଦସ୍ୟଙ୍କ ପଦ ରଦ୍ଦ ବି ହୋଇଥିଲା । କୋର୍ଟର ନିଷ୍ପତିକୁ ରାଜନୈତିକ ରଙ୍ଗ ଦେଇ ବିଜେପି ଉପରେ ଦୋଷ ଲଦିବାର କୌଣସି କାରଣ ନାହିଁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଦେଶରେ ଲୋକପ୍ରିୟ ଦଳ ଭାବେ କଂଗ୍ରେସ ଦାବି କରୁଛି କିନ୍ତୁ ବାସ୍ତବରେ ଭାରତରେ ଲୋକପ୍ରିୟତା କେଉଁଠି ପ୍ରତିଫଳିତ ହେଉଛି ତାହା ଦେଖାଯାଉ ନାହିଁ । କେବଳ ଦେଶବାସୀ ନୁହନ୍ତି ବରଂ କଂଗ୍ରେସ ଦଳର ନେତାମାନେ ମଧ୍ୟ ରାହୁଲଙ୍କୁ ନେତା ବୋଲି ସ୍ୱିକୃତି ଦେଉନଥିବା ଚର୍ଚ୍ଚା ହେଉଛି । “ଜ୍ୱର ବାଉଳାରେ ତାଟିଆ କାମୁଡିଲା ଭଳି” ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳର ଆଚରଣକୁ ଦେଶବାସୀ ଦେଖୁଛନ୍ତି । ଓବିସି ବିରୋଧୀ ବକ୍ତବ୍ୟ ପାଇଁ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ କ୍ଷମା ନମାଗିଲେ ବିଜେପି ତରଫରୁ ସାରା ରାଜ୍ୟରେ ଆନେ୍ଦାଳନ କରାଯିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

Leave A Reply

Your email address will not be published.