ଓଡ଼ିଆ ନ୍ୟୁଜ୍: କଂଗ୍ରେକୁ ଫେରି କାନ୍ଦିଲେ ସୁର। ୭ ମାସ ପରେ କଂଗ୍ରେସକୁ ମିଳିଛି ନୂଆ ମଙ୍ଗୁଆଳ ମିଳିବା ପରେ ସମସ୍ତଙ୍କ ମନରେ ଏକ ପ୍ରକାର ନୂଆ ଜୋସ ଭରିଯାଇଛି କଂଗ୍ରେସକୁ ସଶକ୍ତ କରିବାକୁ। ପିସିସି ସଭାପତି ଭାବେ ଭକ୍ତଚରଣ ଦାସ ଦାୟିତ୍ବ ନେବା ପରେ ଏବେ ପଲିଟିକାଲ କରିଡରରେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସୁରେଶ କୁମାର ରାଉତରାୟ ଓରଫ ସୁର ଭାଇ। ଗତକାଲି ପିସିସି ସଭାପତି ଭକ୍ତଚରଣ ଦାସ ଯେକୌଣସି କାରଣରୁ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ପୁଣି ଥରେ ଘରକୁ ଫେରିଆସିବାକୁ ନିବେଦନ କରିଛନ୍ତି। ଯାହାପରେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଘର ବାହୁଡା ହୋଇଛି। ସେପଟେ କଂଗ୍ରେସ ଭବନରେ ଆଜି ପହଞ୍ଚି କାନ୍ଦିପକାଇଛନ୍ତି ସୁର। ସୁରଙ୍କ ଉପରୁ ୯ ମାସ ପରେ ନିଲମ୍ବନ ହଟାଇଛନ୍ତି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ। ଯେଉଁଥିପାଇଁ ଭାବବିହ୍ଵଳ ହୋଇପଡିଛନ୍ତି ସୁର।
ଆଜି କଂଗ୍ରେସ ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ଆସିଲେ ସୁର ରାଉତରାୟ। ସୁରଙ୍କ ଘର ବାହୁଡ଼ା ବେଳେ ତାଙ୍କ ସହ ବଡ଼ପୁଅ ସିଦ୍ଧାର୍ଥ ରାଉତରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ୯ ମାସ ପରେ ଫେରିବାରୁ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ସୁର। ଏଥିସହ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇବା ସହ ଯୁବ କଂଗ୍ରେସକୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ସୁର। ସୁର ହେଉଛନ୍ତି କଂଗ୍ରେସର ଜଣେ ପୁରୁଖା ଓ ଅଭିଜ୍ଞ ନେତା। ସେ ଗତବର୍ଷ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତି ନେଇଥିଲେ। ମାତ୍ର ସାନପୁଅ ବିଜେଡିରୁ ଟିକେଟ ପାଇଁ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ବଡପୁଅ ସିଦ୍ଧାର୍ଥ ନିମାପଡାରୁ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।