ଓଡ଼ିଆ ନ୍ୟୁଜ୍: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। କେବଳ ଅସମର୍ଥ ମାତାପିତାଙ୍କୁ ଭରଣପୋଷଣ ଦେବେ ପୁଅଝିଅ। ବାପାଙ୍କୁ ଭରଣପୋଷଣ ଦେବା ପାଇଁ ପୁଅକୁ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ଖାରଜ କରି ରାୟ ଶୁଣାଇଛନ୍ତି ଯେ, ମାତାପିତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ, ୨୦୦୭ ଅନୁସାରେ, କେବଳ ଜଣେ ବରିଷ୍ଠ ନାଗରିକ ହୋଇଗଲେ ସନ୍ତାନ ବା ସମ୍ପର୍କୀୟଙ୍କ ନିକଟରୁ ଭରଣପୋଷଣ ପାଇବା ପାଇଁ ହକଦାର ହେବେ ନାହିଁ। ଯଦି ବରିଷ୍ଠ ନାଗରିକ ଜଣକ ରୋଜଗାର କରିବାକୁ ଅସମର୍ଥ ଥିବେ ଅଥବା ତାଙ୍କର ଆୟର କୌଣସି ପନ୍ଥା ନଥିବ ତେବେ ସେ ଭରଣପୋଷଣ ପାଇବା ପାଇଁ ହକଦାର ହେବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିଜ ପାଳନ ପୋଷଣରେ ଅସମର୍ଥ ବରିଷ୍ଠ ନାଗରିକଙ୍କୁ ଯଦି ତାଙ୍କ ସନ୍ତାନ ବା ସଂପର୍କୀୟ ଉପେକ୍ଷା କରୁଥିବେ ତେବେ ଏଭଳି କ୍ଷେତ୍ରରେ ଭରଣପୋଷଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇ ପାରିବ। ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି।
ଜଣେ ୬୯ ବର୍ଷୀୟ ବାପାଙ୍କୁ ପୁଅ ଘରୁ ବାହାର କରିଦେବା ସହିତ ପାଳନପୋଷଣ କରୁ ନଥିବା ଅଭିଯୋଗ ହୋଇଥିଲା। ପୀଡ଼ିତ ବାପା ୫ ହଜାର ଟଙ୍କା ମାସିକ ଭରଣପୋଷଣ ଦାବି କରି ରାୟଗଡ଼ା ଉପଜିଲ୍ଲାପାଳ ତଥା ଭରଣପୋଷଣ ଟ୍ରିବ୍ୟୁନାଲ୍ ରେ ପୁଅ ବିରୋଧରେ ମାମଲା ରୁଜୁ କରିଥିଲେ। ୨୦୨୪, ଫେବୃଆରୀ ୧୬ରେ ଟ୍ରିବ୍ୟୁନାଲ୍ ମାମଲାର ଶୁଣାଣି କରି ବାପାଙ୍କୁ ଭରଣ ପୋଷଣ ପାଇଁ ମାସିକ ୫ ହଜାର ଟଙ୍କା ଦେବାକୁ ପୁଅକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟ ବିରୋଧରେ ପୁଅ ପୁନଃ ରାୟଗଡ଼ା ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। ଜିଲ୍ଲାପାଳ ୨୦୨୪, ଜୁଲାଇ ୨୩ରେ ରାୟ ପ୍ରକାଶ କରି ନିର୍ଦ୍ଦେଶକୁ କାଏମ ରଖିଥିଲେ। ଏହାପରେ ପୁଅ ପୁଣି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ବାପା ନିଜକୁ ପାଳନପୋଷଣରେ ଅସମର୍ଥ ଥିବା ନେଇ କୌଣସି ତଥ୍ୟ ପ୍ରମାଣ ଟ୍ରିବ୍ୟୁନାଲ୍ଙ୍କ ନିକଟରେ ଦାଖଲ ହୋଇ ନଥିବା ବେଳେ ମାସିକ ଭରଣପୋଷଣ ରାଶି ପ୍ରଦାନ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଥିଲା।