ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ଗୌଡ଼ଡିହା ଠାରେ ଥିବା ବେଆଇନ ଗ୍ୟାସ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନି ଶିଖା ବ୍ୟାପିବା ପୂର୍ବରୁ ନିଆଁକୁ ଆୟତ୍ତ କରିବାରୁ ବଡ଼ ଧରଣ ଦୁର୍ଘଟଣାରୁ ସ୍ଥାନୀୟ ଲୋକ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ, ବେଆଇନ ଭାବେ ଉକ୍ତ ସ୍ଥାନରେ ଅନେକ ଗୁଡିକ ଗ୍ୟାସ ସିଲିଣ୍ଡର ରଖାଯାଇଥିବା ବେଳେ କୋଣସି କାରଣ ପାଇଁ ଭିତର ଘରେ ଅଗ୍ନି ସଂଯୋଗ ହୋଇଥିଲା।
ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଳ୍ପ ସମୟ ମଧ୍ୟରେ ଅଗ୍ନିଶିଖା ବାହାରକୁ ଆସିବା ସହ ଅନେକ ଧୂଆଁ ବାହାରକୁ ନିର୍ଗତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ସ୍ଥାନୀୟ ଲୋକ ମାନେ ନିଆଁ ଆୟତ୍ତ କରିବାକୁ ପାଣି ପକାଇବା ସମେତ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବାରିପଦା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଥିଲେ। କିଛି ସମୟ ମଧ୍ୟରେ ନିଆଁ ଆୟତ୍ତ ମଧ୍ୟ କରାଯାଇଥିଲା। ତେବେ ସ୍ଥାନୀୟ ଲୋକମାନେ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛନ୍ତି। ଉକ୍ତ ଗ୍ୟାସ ଗୋଦାମ ଅଞ୍ଚଳଟି ଜନବସତି ଅଞ୍ଚଳ ହୋଇଥିବା ବେଳେ ନିକଟରେ ଏକ ତେଲ ଟାଙ୍କି, ବିଦ୍ୟାଳୟ ଓ ଅନ୍ୟ ଏକ ଗ୍ୟାସ ଗୋଦାମ ରହିଛି। ଯଦି ଅଗ୍ନି ଶିଖା ବ୍ୟାପି ଥାନ୍ତା ତେବେ ଏକ ଭୟଙ୍କର ଅଗ୍ନିକାଣ୍ଡ ସ୍ଥାନୀୟ ଅଞ୍ଚଳରେ ହେବାର ଯଥେଷ୍ଟ ସମ୍ଭାବନା ରହିଥିଲା।
ତେବେ ଅଗ୍ନିଶମ ବାହିନୀର କାର୍ଯ୍ୟ ଯୋଗୁଁ ଅଗ୍ନିକାଣ୍ଡକୁ ଅଧିକ ବ୍ୟାପିବାରୁ ରୋକା ଯାଇପାରିଥିଲା। ତେବେ ଅଗ୍ନିକାଣ୍ଡରେ କାହାରି କିଛି କ୍ଷତି ହୋଇନାହିଁ। ଉକ୍ତ ସ୍ଥାନରେ ନିୟମକୁ ଖୁଲମଖୁଲା ଭାବେ ଅବମାନନା କରି ବେଆଇନ ଭାବେ ଗ୍ୟାସ ଗୋଦାମ ରହିଛି। ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଜୀବନ ସହ ଖେଳ ଖେଳୁଥିବାର ଏହା ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କିପରି ଏଥିପ୍ରତି ନଜର ପଡିନଥିବା ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ବିଭାଗ ପକ୍ଷରୁ ଯାଞ୍ଚ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।