ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି। ଆଜି ମଧ୍ୟ ମନ୍ତ୍ରୀ ପରିଷଦ ବୈଠକ ରହିଛି। ଲୋକସେବା ଭବନରେ ସକାଳ ୧୦ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ।
ବୈଠକରେ ସମସ୍ତ ମନ୍ତ୍ରୀ ଉପସ୍ଥିତ ରହିବେ। ଆସନ୍ତା ୨୨ ତାରିଖରୁ ବଜେଟ ଅଧିବେଶନ ଥିବାରୁ ଚିଠା ବଜେଟକୁ ମନ୍ତ୍ରୀପରିଷଦ ବୈଠକରେ ଅନୁମୋଦନ ମିଳିବ ବୋଲି ଜଣାପଡିଛି। ଏଥିରେ କୃଷି ସମ୍ପର୍କିତ ଏକ ଘୋଷଣା ହୋଇପାରେ ବୋଲି ସୂଚନା ମିଳିଛି | ନିର୍ବାଚନ ପୂର୍ବରୁ ପୂର୍ବର ବିଜେଡି ସରକାର ଆଣିଥିବା କାମଚଳା ବଜେଟରେ ୨୦୨୪-୨୫ ଆର୍ଥୀକ ବର୍ଷ ପାଇଁ ୨ ଲକ୍ଷ ୫୫ ହଜାର କୋଟିର ବ୍ୟୟବରାଦ କରିଥିଲେ। ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଲେଖାନୁଦାନକୁ ବିଧାନସଭା ମଞ୍ଜୁରି ଦେଇଥିଲା। ଆସନ୍ତା ୨୫ ତାରିଖରେ ନୂଆ ସରକାର ନିଜର ପ୍ରଥମ ବଜେଟ ଆଣିବ।
ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଯାଇ ସରକାର ସୁଭଦ୍ରା ଯୋଜନା ସହ ଧାନ ଏମଏସପି ୩୧୦୦ ଟଙ୍କା କରିବାକୁ ଘୋଷଣା କରିଛନ୍ତି। ଅନ୍ୟପଟେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ପୂର୍ବରୁ ଆଜି ବସିପାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ସକାଳ ସାଢ଼େ ୧୦ଟାରେ କ୍ୟାବିନେଟ୍ ବୈଠକ ବସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।