ଓଡ଼ିଶାରେ ମହିଳା ବିରୋଧୀ ହିଂସା ବୃଦ୍ଧି, ବିଜେଡି ଶାସନରେ ମହିଳା ଅସୁରକ୍ଷିତ : ସ୍ମୃତି ପଟ୍ଟନାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଶିଶୁ ଓ ମହିଳାଙ୍କ ପାଇଁ ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି ଓଡିଶା । ନାରୀ ସଶକ୍ତିକରଣର କଥା କହି ମିଛ ବାହାସ୍ପୋଟ ମାରୁଥିବା ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି । ଶାସକ ବିଜେଡି ନିଜ ଦୋଷକୁ ଲୁଚାଇବାକୁ ଯାଇ ଏଭଳି ଦଳୀୟ ଆଧାରରେ ମହିଳା ଶାଖାର ଜୁମ୍ବୋ ସଂପ୍ରସାରଣ କରି ନିଜ ଦୋଷକୁ ଲୁଚାଉଥିବା ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି । ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା, ଆଗରୁ ବିଜେଡି ମୃତକଙ୍କ ନାଁରେ ରାସନ, ଘର ଦେଉଥିଲା କିନ୍ତୁ ଏବେ ପଦବୀରେ ମଧ୍ୟ ମୃତକଙ୍କ ନାମକୁ ଯୋଡିଛି । ଯାହା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ମହିଳାଙ୍କ ନାମ ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀରେ ରଖିଛନ୍ତି ସେହି ମହିଳା ହେଲେ ବ୍ରହ୍ମପୁର ସହରର ମିନାକ୍ଷୀ ମିଶ୍ର । ସ୍ୱର୍ଗତ ମିଶ୍ର ତାଙ୍କ ପୁଅ ପାଇଁ ରାଜ୍ୟ ସରକାରଙ୍କୁ ନ୍ୟାୟ ଭିକ୍ଷା କରି ଆତ୍ମହତ୍ୟା କରିଥିବାବେଳେ ତାଙ୍କୁ ଦଳୀୟ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ପଦବୀରେ ନେବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

ମା’କୁ ସମ୍ମାନ ନାରା ଦେଉଥିବା ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛି ଏନସିଆରବି ରିପୋର୍ଟ । ଓଡିଶାରେ ମହିଳା ବିରୋଧୀ ହିଂସା କ୍ରମାଗତ ବୃଦ୍ଧି ପାଇଚାଲିଥିବାବେଳେ, ଦଣ୍ଡବିଧାନ ହାର କ୍ରମାଗତ ହ୍ରାସ ପାଇଚାଲିଛି । ୨୦୨୦ରେ ୨୫,୪୮୯ ଟି ମହିଳାଙ୍କ ବିରୋଧ ଅପରାଧ ଘଟିଥିବାବେଳେ ୨୦୨୧ ମସିହାରେ ଏହି ସଂଖ୍ୟା ୩୧,୩୫୨କୁ ପହଂଚିଛି । ମହିଳା ଅପହରଣ ୩୭ ପ୍ରତିଶତ, ମହିଳା ଅସଦାଚରଣ ୧୭.୮ ପ୍ରତିଶତ, ବଳାତ୍କାର ମାମଲା ୨୦.୨୩ ପ୍ରତିଶତ, ନାବାଳିକା ଯୈାନ ନିର୍ଯ୍ୟାତନା ୧୩.୩୫ ପ୍ରତିଶତ ପୂର୍ବ ବର୍ଷ ଅପେକ୍ଷା ବୃଦ୍ଧି ପାଇବା ଅତ୍ୟନ୍ତ ଚିନ୍ତା ଓ ଲଜ୍ଜାଜନକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

୨୦୨୦ ମସିହା ଅଗଷ୍ଟ ମାସ ୯ ତାରିଖରେ ନିଖୋଜ ହୋଇଥିବା ବହୁଚର୍ଚ୍ଚିତ ୨ ବର୍ଷୀୟା ପିହୁର ଆଜି ପର୍ଯ୍ୟନ୍ତ କୈାଣସି ସନ୍ଧାନ ମିଳିଲା ନାହିଁ କି ପୋଲିସ ତରଫରୁ କୈାଣସି ତତ୍ପରତା ପ୍ରକାଶ ପାଇଲା ନାହିଁ । ଏନେଇ ରାଜ୍ୟ ସରକାର ହଠାତ୍ ପିହୁକୁ ଖୋଜିଦେଳେ ୫ଲକ୍ଷ ଟଙ୍କା ପୁରଷ୍କାର ଦେବା ଘୋଷଣା କରୁଛନ୍ତି । ଏଥିରୁ ରାଜ୍ୟ ସରକାର ମୁଖା ପର୍ଦ୍ଦାରେ ପଡିଛି । ରାଜ୍ୟ ସରକାର ମହିଳାଙ୍କୁ ଉଚ୍ଚସ୍ଥାନରେ ରଖିବାର ବଡପଣ କରି ରାଜ୍ୟ କମିଟି ଘୋଷଣା କରିବା ସହ ମହିଳାଙ୍କୁ ଉଚ୍ଚସ୍ଥାନରେ ରଖିଥିବା ଗଣମାଧ୍ୟମ ସାମ୍ନାରେ କହୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ସ୍ପଷ୍ଟ ବାରିହୋଇପଡ଼ୁଛି ଓଡ଼ିଶାରେ ମହିଳା କେତେ ସୁରକ୍ଷିତ । କୋରାପୁଟ, ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ଆଜିବି ମହିଳାମାନେ ନଦୀ ପାରହୋଇ ଡାକ୍ତରଖାନା ଯାଉଛନ୍ତି । ସାଇବର କ୍ରାଇମରେ ସମଗ୍ର ଦେଶରେ ଓଡିଶା ରାଜ୍ୟ କ୍ରମାଗତ ଭାବେ ପ୍ରଥମ ସ୍ଥାନ ହାସଲ କରୁଛି, କିନ୍ତୁ ରାଜ୍ୟ ସରକାର ଏହାକୁ ରୋକିବାରେ ସଂପୂର୍ଣ୍ଣ ବିଫଳ ହେବା ଅତ୍ୟନ୍ତ ଲଜ୍ଜାର ବିଷୟ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.