ବାଲେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟିବା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଛି।  ଗତକାଲି ବିଳମ୍ବିତ ରାତିରେ ଏହି କଟକଣା ଲାଗୁ ହୋଇଛି। ଗୋଷ୍ଠୀ ସଂଘର୍ଷ ଘଟଣାରେ ଅଶାନ୍ତ ହୋଇ ପଡ଼ିଥିବା ବାଲେଶ୍ୱର ସହରରେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୂରା ସହରରେ ଲାଗୁ ହୋଇଛି କର୍ଫ୍ୟୁ।

ସମଗ୍ର ବାଲେଶ୍ୱର ପୌରାଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି ହୋଇଥିବା ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି। ଆଜି ବାଲେଶ୍ୱରରେ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି। ବାଲେଶ୍ୱରରେ ବସ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘରୁ ନ ବାହାରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏପରିକି ସମ୍ବେଦନଶୀଳ ସ୍ଥାନରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ବାଲେଶ୍ୱରକୁ ସଂଯୋଗ ସବୁ ରାସ୍ତା ସିଲ କରାଯାଇଛି। ଏନେଇ ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ବାଲେଶ୍ୱର ଟାଉନ ଥାନାରେ ବସିଥିଲା ଜରୁରୀ ବୈଠକ।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ସଦର ବିଧାୟକ ମାନସ ଦତ୍ତ, ବାଲେଶ୍ୱର ଜିଲ୍ଲାପାଳ ଆଶିଷ ଠାକରେ ଏବଂ ବାଲେଶ୍ବର ଏସପି ସାଗରିକା ନାଥ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିଥିଲେ। ଏହାପରେ ଗତ ରାତିଠୁ କର୍ଫ୍ୟୁ ଜାରି ହୋଇଛି। ସୂଚନା ମୁତାବକ, ଗତକାଲି ସହରର ଭୁଜାଖିଆ ପୀର ନିକଟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଫୋର୍ସ ଉପରକୁ ପଥର ମାଡ଼ ଅଭିଯୋଗ ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ଲାଠିଚାର୍ଜ କରିଥିଲା ପୁଲିସ । ଗଣ୍ଡଗୋଳରେ ୪ରୁ ୫ ଜଣ ଆହତ ହୋଇଥିବା ବେଳେ ୧୫ରୁ ୨୦ଟି ଗାଡ଼ି ଭଙ୍ଗାରୁଜା ହୋଇଛି।

 

 

Leave A Reply

Your email address will not be published.