ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଋକ୍ମିଣୀ ହରଣ ନୀତି । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଋକ୍ମିଣୀ ହରଣ ନୀତି ଅନୁଷ୍ଠିତ ହୁଏ | ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ମହୋତ୍ସବ ଅନୁଷ୍ଠିତ ହେବ। ଏହି ବିବାହ ମହୋତ୍ସବ ନିମନ୍ତେ ମା’ ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ ବିବାହ ନୀତି ସମ୍ପନ୍ନ ହେବ ।
ଏହି ଦିନ ସକାଳଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀମଦନମୋହନ ବେଶ କରାଯାଇଥାଏ । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ମସସ୍ତ ନୀତିକାନ୍ତି କରାଯାଇ ସଂଧ୍ୟାରେ ମହାପ୍ରଭୁଙ୍କ ସହ ଦେବୀ ଋକ୍ମିଣୀଙ୍କ ବିବାହ ନୀତି ସମାପିତ ହୋଇଥାଏ । ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାନ୍ତି । ଏହାପରେ ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି । ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀଙ୍କୁ ପଞ୍ଚାମୃତରେ ମହାସ୍ନାନ ହୋଇ ମାର୍ଜଣା, ବନକଲାଗି ଓ ଅଳଙ୍କାର ଲାଗି ହୋଇଥାନ୍ତି । ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି ।
ତେଣୁ ଏହି ପରମ୍ପରା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ। ବାଟରେ ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ। ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ। ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ଏଥି ସହିତ ଭିତର ଚନ୍ଦନ ଯାତ୍ରା ଅବସରରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ବିଧି ଅନୁଷ୍ଠିତ ହେବ।
Comments are closed.