ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅପରାଜେୟ ଭାରତ । ଚଳିତ ବିଶ୍ୱକପରେ ଲଗାତର ୧୦ ରୁ ୧୦ ମ୍ୟାଚ ଜିତି ନିଜ ରେକର୍ଡକୁ ଉନ୍ନତ କରିଛି । ୨୦୧୯ ବିଶ୍ୱକପ ଭଳି ଏଥର ସେମି-ଫାଇନାଲରେ ଝୁଣ୍ଟିନି ଭାରତ । ବୁଧବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିଅମ୍ ଠାରେ ଖେଳାଯାଇ ଥିବା ସେମିରେ ନୁ୍ୟଜିଲ୍ୟାଣ୍ଡକୁ ୭୦ରନରେ ହରାଇ ଗତ ବିଶ୍ୱକପ୍ ସେମି ପରାଜୟର ପ୍ରତିଶୋଧ ନେଇଛି ଭାରତ । କାରଣ ୨୦୧୯ରେ ନୁ୍ୟଜିଲ୍ୟାଣ୍ଡ ହିଁ ଭାରତର ଫାଇନାଲ ଏଣ୍ଟ୍ରିକୁ ରୋକିଥିଲା । ବ୍ୟାଟିଂରେ ରୋହିତ ଶର୍ମା , ବିରାଟ କୋହଲି ଏବଂ ବୋଲିଂରେ ମହମ୍ମଦ ଶମୀଙ୍କ ବିଶ୍ୱ ରେକର୍ଡ କରିଛନ୍ତି ।
ରୋହିତଙ୍କ ଦ୍ରୁତ ସ୍କୋର, ବିରାଟ ଓ ଶ୍ରେୟସ ଅୟରଙ୍କ ଶତକ, ଶୁବମନ ଗିଲଙ୍କ ଅର୍ଦ୍ଧଶତକ ଏବଂ ଶମୀଙ୍କ ୭ ୱିକେଟ ହାସଲ ବଳରେ ନୁ୍ୟଜିଲ୍ୟାଣ୍ଡକୁ ବିଶ୍ୱକପରୁ ବିଦା କରିଛି ଭାରତ । ଏବେ ଫାଇନାଲରେ ଅନ୍ୟ ଟିମକୁ ଅପେକ୍ଷା କରିଛି ଭାରତ । ଟସ୍ ଜିତି ଭାରତ ବ୍ୟାଟିଂ ନେଇଥିଲା । ଉପର ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁ ଭାରତ ୩୯୮ ରନର ଟାର୍ଗେଟ ଦେଇଥିଲା । ରୋହିତ ୨୯ଟି ବଲରୁ ୪ଟି ଲେଖାଏଁ ଚୌକା ଓ ଛକା ସହ ୪୭ ରନ କରିଥିଲେ । ବିରାଟ ୧୧୩ଟି ବଲରୁ ୯ଟି ଚୌକା ଓ ୨ଟି ଛକା ସହ ୧୧୭ ରନ, ଶ୍ରେୟସ ୭୦ଟି ବଲରୁ ୪ଟି ଚୌକା ଓ ୮ଟି ଛକା ସହ ୧୦୫ ରନ, ଗିଲ୍ ୬୬ଟି ବଲରୁ ଅପରାଜିତ ୮୦ ଓ କେଏଲ ରାହୁଲ ୨୦ଟି ବଲରୁ ଅପରାଜିତ ୩୯ ରନ କରିଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ୍ ହରାଇ ୩୯୭ ରନ କରିଥିଲେ । ସାଉଦି ୩ଟି ଓ ବୋଲ୍ଟ ଗୋଟିଏ ୱିକେଟ୍ ନେଇଥିଲେ ।
ଜବାବରେ ନୁ୍ୟଜିଲ୍ୟାଣ୍ଡ ଶୀଘ୍ର ୨ଟି ୱିକେଟ୍ ହରାଇଥିଲା । ତେବେ କେନ୍ ୱିଲିଅମସନ ଓ ଡାରିଲ ମିଡେଲଙ୍କ ମଧ୍ୟରେ ୧୮୦ ରନ ଭାଗିଦାରୀ ହେବାରୁ ନୁ୍ୟଜିଲ୍ୟାଣ୍ଡ ମ୍ୟାଚକୁ ଫେରିଥିଲା । ମିଚେଲଙ୍କ ଶତକ, ୱିଲିଅମସନଙ୍କ ଅର୍ଦ୍ଧଶତକ ଓ ଗ୍ଲେନ୍ ଫିଲିପ୍ସଙ୍କ ୩୩ବଲରୁ ୪୧ ରନ ଛାଡି ଦେଲେ ଆଉ କେହି ୧୫ ରନ ବି କରିପାରି ନଥିଲେ । ମହମ୍ମଦ ଶମୀଙ୍କ ଘାତକ ବୋଲିଂ ନୁ୍ୟଜିଲ୍ୟାଣ୍ଡ ବ୍ୟାଟିଂର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ମିଚେଲ ୧୧୯ଟି ବଲରୁ ୯ଟି ଚୌକା ଓ ୭ଟି ଛକା ସହ ୧୩୪ ରନ ଏବଂ ୱିଲିଅମସନ ୭୩ଟି ବଲରୁ ୮ଟି ଚୌକା ଓ ଗୋଟିଏ ଛକା ସହ ୬୯ ରନ କରିଥିଲେ । ଶମୀ ୭ଟି, ବୁମରା, ସିରାଜ, ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଶମୀଙ୍କୁ ତାଙ୍କର ଚତ୍ମକାର ବୋଲିଂ ପାଇଁ ପ୍ଲେୟର ଅଫ ଦ ମ୍ୟାଚ ବିବେଚିତ କରାଯାଇଥିଲା ।