ପୁଣି ଟ୍ରେନରେ ଲାଗିଲା ନିଆଁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ଟ୍ରେନରେ ଲାଗିଲା ନିଆଁ । ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ ପରେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଇଟାୱା ଠାରେ ଆଉ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଦିଲ୍ଲୀରୁ ବିହାରର ସାହାରସା ଯାଉଥିବା ବୈଶାଳୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିବାର ଖବର ଆସିଛି । ଏହି ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେଥିମଧ୍ୟରୁ ୧୧ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ରେଳବାଇ ‘ସିଓ’ ଉଦୟ ଶଙ୍କର କହିଛନ୍ତି, ଟ୍ରେନ୍‌ଟି ଦିଲ୍ଲୀରୁ ବିହାରର ସହରସାକୁ ଯାଉଥିବା ବେଳେ ରାତି ପ୍ରାୟ ୨.୩୦ରେ ପାଣ୍ଟ୍ରି କାର୍‌ ନିକଟରେ ଥିବା ‘ଏସ୍‌୬’ କୋଚ୍‌ରେ ନିଆଁ ଲାଗିଯାଇଥିଲା। ନିଆଁ କାହିଁକି ଲାଗିଲା, ତାହା ହଠାତ୍‌ ଜଣାପଡ଼ିନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ପାଣ୍ଟ୍ରି କାର୍‌ ନିକଟ କୋଚ୍‌ ବା ବଗିରେ ଘଟିଥିବା ଏହି ଅଗ୍ନିକାଣ୍ଡ ଯୋଗୁଁ ୧୯ଜଣ ଯାତ୍ରୀ ଆହତ ହୋଇଛନ୍ତି। ନିଃଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖା ଦେବାରୁ ୧୧ଜଣ ଯାତ୍ରୀଙ୍କୁ ‘ପିଜିଆଇ’କୁ ‘ରେଫର୍‌’ କରାଯାଇଛି। ପୋଡ଼ିଯାଇ ସାମାନ୍ୟ ଆହତ ହୋଇଥିବା ବାକି ୮ଜଣ ଯାତ୍ରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ଏହାର କିଛି ସମୟ ପୂର୍ବରୁ ଇଟୱା ନିକଟରେ ଦିଲ୍ଲୀ-ଦରଭଙ୍ଗା ହମସଫର ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା ।

ଟ୍ରେନ୍‌ର ୩ଟି ବଗିରେ ନିଆଁ ଲାଗିଥିବା ବେଳେ ଏଥିରେ ୮ ଜଣ ଯାତ୍ରୀ ଆହତ ହୋଇଥିଲେ । ଏହି ଘଟଣାକୁ ୨୪ ଘଣ୍ଟା ନପୁରୁଣୁ ବୈଶାଳୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ସେହିପରି ଗତକାଲି ସକାଳେ ଛତିଶଗଡ ଭିଲାଇ ହାଉସ ଷ୍ଟେସନ ନିକଟରେ ପୁରୀରୁ ଅହମ୍ମଦାବାଦ ଯାଉଥିବା ଏକ୍ସପ୍ରେସର ଏସି କୋଚ୍‌ରେ ନିଆଁ ଲାଗିଥିଲା । ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନଥିଲେ । ତେବେ ଏଇ କିଛି ଦିନ ହେବ ଟ୍ରେନରେ ଅଗ୍ନିକାଣ୍ଡ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ଏଭଳି ଘଟଣା ଫଳରେ ଟ୍ରେନ ଯାତ୍ରାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି ।

Leave A Reply

Your email address will not be published.