ଏସିଆନ ୟୁଥ ଆଥଲେଟିକ୍ସରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଁସଦା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସିଆନ ୟୁଥ ଆଥଲେଟିକ୍ସରେ ରୌପ୍ୟ ପଦକ ଜିତିଲେ ଓଡ଼ିଆ ପୁଅ ବାପି ହାଁସଦା । ଉଜବେକିସ୍ତାନର ତାସକେଂଟରେ ଚାଲିଥିବା ୟୁଥ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପରେ ବାଲେଶ୍ୱରର ଏହି ୧୭ ବର୍ଷୀୟ ଆଥଲେଟ ୪୦୦ ମିଟର ହର୍ଡଲ୍ସରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୫୧.୩୮ ସେକେଣ୍ଡ ସମୟ ନେଇ ରେସ ସମ୍ପୂର୍ଣ୍ଣ କରିଥିଲେ । କାତାରର ମହାମତ ଅବକର ଆବାଦ୍ରାହାମ ୫୦.୯୧ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଶ୍ରୀଲଙ୍କାର କୁଡା ଲିୟାଙ୍ଗେ ଆୟୋମଲ (୫୧.୪୦ ସେକେଣ୍ଡ) ବ୍ରୋଞ୍ଜ ପଦକ ହାତେଇଛନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପିଙ୍କ ସଫଳତା ଅଭିନନ୍ଦନ ଜଣାଇଛନ୍ତି । ବ୍ୟକ୍ତିଗତ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବା ସତ୍ୱେ ସେ ପ୍ରଦର୍ଶନ ଏବଂ ଦକ୍ଷତା ବଳରେ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ନ୍ୟାଶନାଲ ୟୁଥ ଚାମ୍ପିୟନଶିପରେ ୫୧.୯୦ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୧୮ ବର୍ଷରୁ କମ ବିଶ୍ୱ ର‌୍ୟାଙ୍କିଙ୍ଗରେ ସେ ପ୍ରଥମ ସ୍ଥାନରେ ରହିଥିଲେ ।

ବାପିଙ୍କ ପ୍ରଦର୍ଶନ ନେଇ ଓଡିଶା ରିଲାଏନ୍ସ ଏଚପିସିର କୋଚ ମାର୍ଟିନ ଓୱେନ୍ସ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ୨୦୧୯ ପରଠାରୁ ଓଡିଶା ରିଲାଏନ୍ସ ଫାଉଣ୍ଡେଶନ ଏଚପିସି ୫୦ରୁ ଊର୍ଦ୍ଧ୍ୱ ଆଥଲେଟଙ୍କୁ ପ୍ରଶିକ୍ଷଣ ଦେଇସାରିଛି । ଏମାନଙ୍କ ମଧ୍ୟରୁ ଅନେକ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ପଦକ ହାସଲ କରିଛନ୍ତି । ତେବେ ବାପିଙ୍କ ଏହି ସଫଳତା ପାଇଁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.