ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍ୱଳ୍ପ ମୂଲ୍ୟର ବିମାନ ଇଣ୍ଡିଗୋ ବୁଧବାର ଦିନ ଓଡିଶାର ଝାରସୁଗୁଡ଼ାକୁ ବେଙ୍ଗାଲୁରୁ ସହିତ ସଂଯୋଗ କରୁଥିବା ଦ୍ୱିତୀୟ ଦୈନିକ ପ୍ରତ୍ୟକ୍ଷ ବିମାନ ଉଡ଼ାଣ ଆରମ୍ଭ କରିଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ବାଙ୍ଗାଲୋରକୁ ଉଡିଛି ଇଣ୍ଡିଗୋ ବିମାନ । ସକାଳ ୧୦ ଟା ୧୫ ମିନିଟରେ ଇଣ୍ଡିଗୋ ବିମାନ ବାଙ୍ଗାଲୋରରୁ ବାହାରି ଅପରାହ୍ନ ୧୨ଟା ୯ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିଛି ।
ଏହାପରେ ଅପରାହ୍ନ ଗୋଟିଏରେ ଝାରସୁଗୁଡ଼ାରୁ ବିମାନ ବାହାରିଥିବା ବେଳେ ୨ ଟା ୫୫ ମିନିଟରେ ବାଙ୍ଗାଲୋରରେ ପହଞ୍ଚିବ । ବାଙ୍ଗାଲୋରକୁ ଆଜିଠି ପ୍ରତିଦିନ ଇଣ୍ଡିଗୋର ୧୮୦ ସିଟ୍ ବିଶିଷ୍ଟ ଏୟାରବସ୍-୩୨୦ ବିମାନ ଚଳାଚଳ କରିବ । ଇଣ୍ଡିଗୋ ର ସନ୍ଦୀପ ତିୱାରୀଙ୍କ ଅନୁଯାୟୀ, ଝାରସୁଗୁଡ଼ା ଏବଂ କୋଲକାତା ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବାର 10 ଦିନ ପରେ ଝାରସୁଗୁଡ଼ା ଏବଂ ବେଙ୍ଗାଲୁରୁ ମଧ୍ୟରେ ଦ୍ୱିତୀୟ ପ୍ରତ୍ୟକ୍ଷ ବିମାନ ଉଡ଼ାଣ ହେଉଛି | ଏହି ନୂତନ ବିମାନଗୁଡ଼ିକ ଅନ୍ତରାଜ୍ୟ ସଂଯୋଗକୁ ଆହୁରି ମଜବୁତ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଏବଂ ବ୍ୟବସାୟ କେନ୍ଦ୍ରରେ ପହଞ୍ଚିବା ସହଜ ହେବ ବୋଲି ସେ କହିଛନ୍ତି।
ତେବେ ଆଜି ପ୍ରଥମ ଦିନରେ ୧୭୯ ଯାତ୍ରୀ ଆସିଥିବା ବେଳେ ଝାରସୁଗୁଡ଼ାରୁ ବାଙ୍ଗାଲୋର ଅଭିମୁଖେ ୧୬୯ ଯାତ୍ରୀ ଯାତ୍ରା କରିଛନ୍ତି । ଏହାପୂର୍ବରୁ ଗତ ୫ ତାରିଖରେ ଇଣ୍ଡିଗୋ କୋଲକାତା କୁ ATR-72, ୭୨ ସିଟ ବିଶିଷ୍ଟ ବିମାନ ଚଳାଚଳ କରିଆସୁଛି l ତେବେ ବାଙ୍ଗାଲୋରକୁ ସିଧାସଳଖ ବିମାନ ଚଳାଚଳ ପାଇଁ ଝାରସୁଗୁଡାବାସୀ ତଥା ଯାତ୍ରୀ ମାନେ କରି ଆସୁଥିବା ଦାବି ପୁରଣ ହେବା ପରେ ଯାତ୍ରୀ ମାନେ ଖୁସି ପ୍ରକାଶ କରିଛନ୍ତି l ବାଙ୍ଗାଲୋର ଝାରସୁଗୁଡା ସହ ଯୋଡିହେବା ପରେ ଛାତ୍ରଛାତ୍ରୀ ତଥା ଆଇଟି ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବିଶେଷ ସୁବିଧା ହେବ l ସେହିପରି ଚିକିତ୍ସା ସେବା, ପର୍ଯ୍ୟଟନ, ଆଦି କ୍ଷେତ୍ରରେ ମଧ୍ୟ ଲୋକେ ଉପକୃତ ହେବେ ବୋଲି ଝାରସୁଗୁଡାବାସୀ ପ୍ରକାଶ କରିଛନ୍ତି l