ସାଧାରଣ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଓ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲାରେ ଅନୁଷ୍ଠିତ ହେବାକୁଥିବା ସାଧାରଣ ନିର୍ବାଚନର ସୁପରିଚାଳନା ନିମନ୍ତେ ପ୍ରସ୍ତୁତି ଓ ପଦକ୍ଷେପର ତଦାରଖ ପାଇଁ ବୁଧବାର ଦିନ ସାଧାରଣ ପର୍ଯ୍ୟବେକ୍ଷକଗଣ ଜିଲ୍ଲା ପ୍ରଶାସନ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି। ସ୍ଥାନୀୟ ଓସୱାନ ହଲର ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୟୂରଭଞ୍ଜ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ଆର୍ମଷ୍ଟ୍ରଙ୍ଗ ପାମେ (ଭା.ପ୍ର.ସେ) ଓ ଡଃ ଓମ ପ୍ରକାଶ (ଭା.ପ୍ର.ସେ) ସାମୁହିକ ଭାବେ ଅଧ୍ୟକ୍ଷତା କରିଥିଲେ।

ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ (ଭା.ପ୍ର.ସେ) ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ସମସ୍ତ ତଥ୍ୟର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ଉପସ୍ଥିତ, ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ଶ୍ରୀମତୀ ଏସ. ସୁଶ୍ରୀ (ଭା. ପୋ.ସେ.), ସୁରକ୍ଷା ବ୍ୟବସ୍ଥା ସମ୍ବଳିତ ସମସ୍ତ ତଥ୍ୟ ଉପସ୍ଥାପନା କରିବା ସହିତ, ପର୍ଯ୍ୟବେକ୍ଷକଙ୍କ ସହିତ ନିର୍ବାଚନୀ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ସାଧାରଣ ପର୍ଯ୍ୟବେକ୍ଷକ ବିଶେଷ କରି ମତଦାନ ନିମନ୍ତେ ଭୋଟର୍ ଙ୍କ ସୁବିଧା, ବୁଥ ଗୁଡ଼ିକର ସ୍ଥାନ ଓ ସ୍ଥିତି, ଇ ଭି ଏମ ପ୍ରସ୍ତୁତି,ପୋଲିଂ ଅଧିକାରୀ,ସେକ୍ଟର ଅଧିକାରୀ, ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପ୍ରଶିକ୍ଷଣ,ନିର୍ବାଚନ ଖର୍ଚ୍ଚ ପରିଚାଳନା,ସି ଭିଜିଲ ରିପୋର୍ଟ, ଏମ ସି ଏମ ସି ରିପୋର୍ଟ,ପୋଷ୍ଟଲ ବାଲାଟ , ହୋମ ଭୋଟିଂ, ସମ୍ବେଦନଶିଲ ବୁଥ,ପୋଲିସ ମୁତୟନ, ଆବଶ୍ୟକ ପୋଲିସ ଫୋର୍ସ,ଫ୍ଲାଇଙ୍ଗ ସ୍କ୍ୱାଡ଼, ଏସ ଏସ ଟି,ପୋଲିସ ଟିମ୍ ଓ ଅବକାରୀ ବିଭାଗ ଦ୍ବାରା ବେଆଇନ ନିଶାଦ୍ରବ୍ୟ, ଟଙ୍କା ଜବତ ଉପରେ ସମୀକ୍ଷା କରିଥିଲେ। ମୟୂରଭଞ୍ଜ ଜିଲ୍ଲାର ନିର୍ଵାଚନ ପରିଚାଳନା ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିବା ସହ ଚଳିତ ମାସ ୨୫ ତାରିଖରେ (କରଞ୍ଜିଆ ନିର୍ବାଚନ ମଣ୍ଡଳୀ)ରେ ଏବଂ ଜୁନ ୧ ତାରିଖରେ (ଜିଲ୍ଲାର ଅନ୍ୟ ୮ଟି ନିର୍ବାଚନ ମଣ୍ଡଳୀରେ) ହେବାକୁ ଥିବା ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ସମ୍ପୂର୍ଣ ନିରପେକ୍ଷ ଓ ଶାନ୍ତିପୂର୍ଣ ଭାବେ ସମାପନ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।

ପର୍ଯ୍ୟବେକ୍ଷକ ଶ୍ରୀ ପାମେ, ଜିଲ୍ଲାରେ ଚାଲୁଥିବା ଭୋଟର ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ନୂତନ ଏବଂ ଅନନ୍ୟ ପ୍ରସଙ୍ଗ ସବୁ ଦେଖି ଜିଲ୍ଲାପାଳଙ୍କ ଏହି ପରି ପଦକ୍ଷେପ ମାନ ସବୁକୁ ପ୍ରଶଂସା କରିଥିଲେ। ଏହି ବୈଠକରେ ପର୍ଯ୍ୟବେକ୍ଷକମାନେ ମଧ୍ୟ ନିର୍ବାଚନ ଖର୍ଚ୍ଚ ପରିଚାଳନା ସମ୍ପର୍କିତ ଆଇନଗତ ବ୍ୟବସ୍ଥା, ନିର୍ଭୁଲ ଓ ଠିକ୍ ସମୟରେ ହିସାବ ଦାଖଲ ଏବଂ ଏହାକୁ ପାଳନ ନକରିବା ଫଳରେ ଉପୁଜୁଥିବା ପରିସ୍ଥିତି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଖର୍ଚ୍ଚ ବିବରଣୀ ଯାଞ୍ଚ, କ୍ଷେତ୍ର ପରିଦର୍ଶନ, ଭିଡିଓ ସର୍ଭେଲାନ୍ସ ସମେତ ବିଭିନ୍ନ ତଦାରଖ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରିଥିଲେ। ଏହି ବୈଠକରେ ପୋଷ୍ଟାଲ ବାଲଟ ଜରିଆରେ ମତଦାନ ସମ୍ପର୍କ ରେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ସହିତ ଅନ୍ୟାନ୍ୟ ୦୮ ଟି ନିର୍ବାଚନ ମଣ୍ଡଳୀ ପାଇଁ ପୋଷ୍ଟାଲ ବାଲଟ ର ସମ୍ପୂର୍ଣ୍ଣ ମତଦାନ ବିବରଣୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ଉପସ୍ଥାପନ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରିଟର୍ଣ୍ଣିଙ୍ଗ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ଉଦୟ କୁମାର ମହାପାତ୍ର, ଉପଜିଲ୍ଲାପାଳ ଶ୍ରୀ ଈଶ୍ୱର ଚନ୍ଦ୍ର ନାୟକ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମହାରଣା, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର , ଏଲ. ଡି. ଏମ. ଶିବ ପ୍ରସାଦ ଚୌଧୁରୀ, ଡେପୁଟି କଲେକ୍ଟର ବସୁନ୍ଧରା ଭିତିରିଆ, ଡେପୁଟି କଲେକ୍ଟର ଶ୍ରଦ୍ଧା ସୁମନ, ଡେପୁଟି କଲେକ୍ଟର ଡଃ ଶୁଭଙ୍କରୀ ଦାଶ, ଡେପୁଟି କଲେକ୍ଟର (ନିର୍ବାଚନ) ଦୁର୍ଗାଚରଣ ମୁର୍ମୁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ଓ ସମସ୍ତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.