ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସୋସିଆଲ ମିଡିଆ (ଫେସବୁକ) ପୋଷ୍ଟକୁ ନେଇ ଭଦ୍ରକ ପୌରାଞ୍ଚଳ ଅନ୍ତର୍ଗତ ପୁରୁଣା ବଜାର ଥାନା ଅଞ୍ଚଳରେ ହିଂସା ପରେ ପୋଲିସ ଛାଉଣୀରେ ପରିଣତ ହୋଇଛି ସମଗ୍ର ଭଦ୍ରକ ସହର । ଧାରା-163 ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରାଯାଇଛି । ଏହାସହ ସମସ୍ତ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗାଯାଇଛି।
ଏଥିସହ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରୁଣାବଜାର ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯିବା ସହ ୧୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେହିପରି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଛି। ଧାମନଗରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ହ୍ବାଟ୍ସଆପ୍, ଫେସବୁକ୍, ଏକ୍ସ, ଇନଷ୍ଟାଗ୍ରାମ୍, ସ୍ନାପଚାଟ୍ ଆଦି ବିଭିନ୍ନ ସୋସିଆଲ ମିଡ଼ିଆ ଆପ ଚଲେଇବା ଉପରେ କଟକଣା ଲଗେଇଛି ପ୍ରଶାସନ l
କେବଳ ସେତିକି ନୁହେଁ ଇଣ୍ଟରନେଟ୍ ଜରିଆରେ ଚାଲୁଥିବା ସବୁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଛି କଟକଣା l ସୂଚନା ଅନୁସାରେ, ତିହିଡ଼ି ଅଞ୍ଚଳର ଜଣେ ଯୁବକ ଫେସବୁକରେ ଏକ ପୋଷ୍ଟ କରିଥିଲେ। ସେହି ପୋଷ୍ଟକୁ ନେଇ ବିବାଦ ଉପୁଜିବାରୁ ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ଭଦ୍ରକ ସହରରେ ରାଲି କରି ରାସ୍ତା ଅବରୋଧ କରୁଥିଲେ। ଏହାକୁ ବାରଣ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲା ପୋଲିସ। ଆକ୍ରମଣରେ ୨ ବରିଷ୍ଠ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଏହାପରେ ଉକ୍ତ ଅଂଚଳରେ ଉତ୍ତେଜନା ଲାଗି ରହିଛି l