ଓପିଏସ୍‌ସି ଦୁର୍ନୀତିର ଗନ୍ତାଘର ଏବଂ ବିଜେଡି ସରକାର ଏହାର ରିଙ୍ଗ୍ ମାଷ୍ଟର୍‌: ଇରାସିସ୍ ଆଚାର୍ଯ୍ୟ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ରାଜ୍ୟର ଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କ ଭବିଷ୍ୟତ ପାଇଁ ଆଦୈା ଚିନ୍ତିତ ନୁହଁନ୍ତି ବିଜେଡି ସରକାର । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତିକୁ ନେଇ ବହୁ ଦୁର୍ନୀତି ଓ ଅନିୟମିତତା ପଦାକୁ ଆସିଛି । ଅତୀତରେ ଆରଆଇ ଓ ଅମିନ ପରୀକ୍ଷାରେ ଦୁର୍ନୀତି ହୋଇଥିଲା । ରାଜ୍ୟରେ ଜାଲ୍ ସାର୍ଟିଫିକେଟ, ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି । ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ସରକାରୀ ନିଯୁକ୍ତିରେ ଚଂଚକତା କରାଯାଇ ଯୁବକଯୁବତୀଙ୍କ ଭବିଷ୍ୟତକୁ ଅନ୍ଧକାରମୟ କରାଯାଉଥିବାବେଳେ ବର୍ତମାନ ଏଏସଓ ନିଯୁକ୍ତିରେ ଘୋଟାଲା ଛାତ୍ରଛାତ୍ରୀ ଓ ଯୁବକଯୁବତୀଙ୍କ ଭିତରେ ନିରାଶା ଓ ହତାସର ବାତାବରଣ ସୃଷ୍ଟି କରିଦେଇଛି ।

ଓଡ଼ିଶାର ଯୁବକଙ୍କ ଭବିଷ୍ୟତକୁ ନଷ୍ଟ କରିବାର ଅଧିକାର ରାଜ୍ୟ ସରକାରଙ୍କୁ କିଏ ଦେଲା ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି  ଇରାସିସ୍ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଇରାସିସ୍ ଆଚାର୍ଯ୍ୟ କହିଛନ୍ତି ଯେ, ଓପିଏସସି ଦ୍ୱାରା ଏଏସଓ ପରୀକ୍ଷା ସମ୍ପୂର୍ଣ୍ଣ ଅନୈତିକ । ୨୦୨୧-୨୨ରେ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ୭୯୬ଟି ଆସିଷ୍ଟାଂଟ ସେକ୍ସନ ଅଫିସର (ଏଏସଓ) ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ଦେଢ଼ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ମୂଳରୁ ବିବାଦ ଘେରରେ ଥିବା ଏହି ପରୀକ୍ଷାରେ ୧୧୦୪ଜଣଙ୍କ ମେରିଟଲିଷ୍ଟରେ ନାଁ ପ୍ରକାଶିତ ହୋଇଥିଲା । ଏହା ପରେ ପ୍ରକାଶ ପାଇଥିବା ଚୂଡାନ୍ତ ତାଲିକାଟି ସଂପୂର୍ଣ୍ଣ ଅନୈତିକ ଭାବେ ପ୍ରସ୍ତୁତ ହେବାକୁ ନେଇ ମାନ୍ୟବର ହାଇକୋର୍ଟ କ୍ଷୋଭ ପ୍ରକାଶ କରି ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କରିବା ସହିତ କଡା ଭାଷାରେ ଓପିଏସିକୁ ମଧ୍ୟ ତାଗିଦ୍ କରିଛନ୍ତି । ଏଥି ସହ ଆଉ ଥରେ ନୂତନ ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ ମାନ୍ୟବର ହାଇକୋର୍ଟ ଓପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସଓ ପଦବୀ ପାଇଁ ପରୀକ୍ଷା ଦେଇଥିବା ଯୁବକଯୁବତୀଙ୍କ ଭବିଷ୍ୟତ କଣ ହେବ ? କେବଳ ସେତିକି ନୁହେଁ ଯେଉଁ ପରୀକ୍ଷାର୍ଥୀମାନେ ଉତୀର୍ଣ୍ଣ ହୋଇଛନ୍ତି ତାଙ୍କୁ ମଧ୍ୟ ପ୍ରତାରଣା କରିଛି ରାଜ୍ୟ ସରକାର । କାରଣ ତାଙ୍କ ପରିବାର ଏବଂ ସେମାନେ ମଧ୍ୟ ଓପିଏସ୍‌ସିର ଭୁଲ ପଦ୍ଧତି, ସରକାରଙ୍କ ଖାମଖିଆଲ ମନୋଭାବ ଓ ଦୁର୍ନୀତି ଯୋଗୁଁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶାସକ ବିଜେଡିର ଇଙ୍ଗିତରେ ଓପିଏସସି ବର୍ତମାନ ଦୁର୍ନୀତିର ଗନ୍ତାଘର ସାଜିଛି ଏବଂ ରାଜ୍ୟ ସରକାର ଏହାର ରିଙ୍ଗ୍ ମାଷ୍ଟର ସାଜିଛନ୍ତି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ବାବୁ ବିଶ୍ୱଦରବାରରେ ୧ନଂ ବୋଲି ତାଙ୍କ ଦଳର ନେତା, ମନ୍ତ୍ରୀମାନେ ଡିଣ୍ଡିମ ପିଟୁଛନ୍ତି କିନ୍ତୁ ରାଜ୍ୟ ସରକାର ଓଡିଶାର ଲକ୍ଷ ଲକ୍ଷ ମେଧାବୀ, ଶିକ୍ଷିତ ଯୁବକଯୁବତୀଙ୍କୁ ଭବିଷ୍ୟତକୁ ନେଇ ଖେଳୁଛନ୍ତି । ଏ କ’ଣ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗୁଡ ଗଭର୍ଣ୍ଣେନ୍ସର ମଡେଲରେ କି? ଏହା ୫ଟି ସରକାରର କେଉଁ ପ୍ରକାର ଟ୍ରାନ୍ସପରେନ୍ସି ? ରାଜ୍ୟ ସରକାରଙ୍କ ‘କଥା ନୁହେଁ କଠିନ ପରିଶ୍ରମର’ ମଡେଲ କି ବୋଲି ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଉଚିତ୍ ବୋଲି ଇରାସିସ୍ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଓଡ଼ିଶା ରାଜ୍ୟରେ ୮ଲକ୍ଷ ୮୦ହଜାର ୧୭୫ଜଣ ଏମ୍ପେ୍ଲଏମେଂଟ ଏକ୍ସଚେଞ୍ଜରେ ରେଜିଷ୍ଟେସନ କରିଛନ୍ତି । ରାଜ୍ୟ ସରକାର ବାରମ୍ବାର ଯୁବକମାନଙ୍କୁ ପ୍ରତାରଣା କରୁଛନ୍ତି । ୨୦୧୯ରେ ଓଡିଶା ପୋଲିସ ରିକ୍ର‌୍ୟୁଟମେଂଟ ବୋର୍ଡ (ଓପିଆରବି) ପରୀକ୍ଷାରେ ମଧ୍ୟ ବ୍ୟାପକ ଅନୀୟମିତତା କାରଣରୁ ଯୁବକଯୁବତୀମାନେ ଡିଜି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ । ଓଏସଏସସି ବୋର୍ଡ ଚେୟାରମ୍ୟାନଙ୍କ ଘରୁ କୋଟି କୋଟି ଟଙ୍କା ସମ୍ପତି ଧରାପଡିଥିଲା । ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଏହି କେସ୍ ତଦନ୍ତ ହେଲା କି ନାହିଁ ଓ କେଉଁ ଅଫିସର ଏଭଳି ଦୁର୍ନୀତିରେ ଲିପ୍ତ ଥିଲେ ତାହା ମଧ୍ୟ ପ୍ରକାଶ ପାଇଲା ନାହିଁ । ଓଡିଶାର ଶିକ୍ଷିତ ଯୁବକ ଯୁବତୀଙ୍କ ନିଯୁକ୍ତି କ୍ଷେତ୍ରରେ ହେଉଥିବା ଦୁର୍ନୀତି ଓ ଘୋଟାଲାର ତଦନ୍ତ ହେବ କି? ଯଦି ହେବ କେବେ ହେବ? ଦୋଷୀଙ୍କୁ ଦଣ୍ଡ ମିଳିବ ତ? ନିଯୁକ୍ତି ଦୁର୍ନୀତିର ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କୁ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଅନ୍ତୁ ବୋଲି ଇରାସିସ୍ ଆଚାର୍ଯ୍ୟ ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଚ୍ଛାୟତ, ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଭକ୍ତବତ୍ସଳ ବସ୍ଥିଆ, ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ ରାଜ୍‌, ଯୁବମୋର୍ଚ୍ଚା ଗଣମାଧ୍ୟମ ସଂଯୋଜକ ଅଭିଜିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.