ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ପୁରିଲା ବର୍ଷେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ପୁରିଲା ବର୍ଷେ |ଇତିମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ହେଲେ, ନବକିଶୋରଙ୍କୁ ଗୋପାଳ କାହିଁକି ହତ୍ୟା କରିଛି ତାହା ତଥାପି ସ୍ପଷ୍ଟ ହୋଇପାରିନି। ଖୋଦ୍‌ ସ୍ବର୍ଗତ ଦାସଙ୍କ ପରିବାର ଲୋକେ ଷଡ୍‌ଯନ୍ତ୍ର କରାଯାଇଥିବା ନେଇ ବୟାନ ଦେବାପରେ ବି କ୍ରାଇମ୍‌ବ୍ରାଞ୍ଚ ମାମଲାରେ ଷଡ୍‌ଯନ୍ତ୍ର ଦିଗକୁ ସାମିଲ୍‌ କରିନାହିଁ କି ଏହା ପଛର ସତ ଖୋଜିବାକୁ ଚେଷ୍ଟା କରିନାହିଁ। ବର୍ଷକ ଭିତରେ କ୍ରାଇମ୍‌ବ୍ରାଞ୍ଚ ହାତରେ ସେଭଳି କୌଣସି ପ୍ରମାଣ ବି ଲାଗିପାରିନି। କିନ୍ତୁ ଚତୁରତାର ସହିତ କ୍ରାଇମ୍‌ବ୍ରାଞ୍ଚ ମାମଲାର ତଦନ୍ତ ଖୋଲା ରଖି କାମ ଶେଷ କରିଦେଇଛି।

ତେବେ, ସୋମବାର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ସହର ସ୍ଥିତ ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଅନୁଷ୍ଠିତ ହୋଇଛି । ସୂଚନ ଅନୁଯାୟୀ, ସକାଳ ୮ଟାରୁ ଏହି ମାରାଥନର ଆୟୋଜନ ହୋଇଥିଲା । ମନମୋହନ ଏମଇ ସ୍କୁଲ୍ ପଡ଼ିଆରୁ ବାହାରିଥିବା ମିନି ମାରାଥନ କୁ ନବଦାସଙ୍କ ଝିଅ ବିଧାୟକ ଦୀପାଳି ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହା ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ଗାନ୍ଧିଛକ ନିକଟରେ ଶେଷ ହୋଇଛି । ଦିନ ୧୧ଟାରେ ଏସ୍‌ପି ଅଫିସ ସମ୍ମୁଖ ତିନି କୋଣିଆ ଛକରେ ନବଦାସଙ୍କ ପ୍ରତିମୂର୍ତ୍ତି ଅନାଵରଣ କରାଯିବ । ଏହାପରେ ସେହି ସ୍ଥାନକୁ ନବଦାସ ଛକ ଭାବେ ଘୋଷଣା କରାଯିବ। ପରେ ଦିନ ୧୨ଟାରେ ମନମୋହନ ସ୍କୁଲ ପଡିଆରେ ସର୍ଵଧର୍ମ ସ୍ମୃତି ସଭା ଅନୁଷ୍ଠିତ ହେବ।

ଜାନୁଆରୀ ୨୯ ତାରିଖ ୨୦୨୩ ଅର୍ଥାତ୍‌ ଆଜିର ଦିନରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଗୁଳିମାଡ଼ ହୋଇଥିଲା । ନବ ଦାସଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ହେଲେ ପରେ ଭୁବନେଶ୍ୱରରେ ତାଙ୍କର ମୃତ୍ୟୁ ହୋଇଥିବାନେଇ ସୂଚନା ଦିଆଯାଇଥିଲା ।

Leave A Reply

Your email address will not be published.