ଆଜି ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଓଡିଶା ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କଂଗ୍ରେସ ମୁଖିଆ ହେବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ । AICC ଅଧ୍ୟକ୍ଷ ହେବା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ କଂଗ୍ରେସ ତାର ଦମ ଦେଖାଇବାକୁ ସଂପୂର୍ଣ୍ଣ ପ୍ରସ୍ତୁତ । ଫୋକସରେ ରହିଛି 2024 ସାଧାରଣ ନିର୍ବାଚନ ।

ପ୍ରାୟ 50 ହଜାର ନେତା ଓ କର୍ମୀଙ୍କ ଗହଣରେ ନିର୍ବାଚନୀ ରଣହୁଙ୍କାର ଦେବେ ଖଡଗେ । ରାଜ୍ୟରେ ଶାସକ ଦଳ ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ଖଡଗେଙ୍କ ପାଇଁ ଆୟୋଜିତ କମିଟିର ଅଧ୍ୟକ୍ଷ ଜୟଦେବ ଜେନା ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ଦିନ ୧୧ଟା ୪୫ରେ ଭୁବନେଶ୍ବର ବିମାନବନ୍ଦରରେ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବେ ଖଡ଼ଗେ । ସେଠାରୁ ୫ହଜାର ବାଇକ୍ ରାଲିରେ ଆସି କଂଗ୍ରେସ ଭବନରେ ପହଞ୍ଚିବେ । ଏହାପରେ ସେଠାରୁ ବିରାଟ ଶୋଭାଯାତ୍ରାରେ ଆସିବେ ଲୋୟର ପିଏମଜିରେ ଆୟୋଜିତ ସଭାସ୍ଥଳକୁ। ଓଡିଶା ବଞ୍ଚାଅ ସମାବେଶ ଆୟୋଜନ କରିଛି କଂଗ୍ରେସ।

ଯେଉଁଥିରେ ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ।  ଆଗାମୀ ନିର୍ବାଚନରେ କଂଗ୍ରେସ କିଭଳି ଭଲ ପ୍ରଦର୍ଶନ କରିବ ସେନଇ କର୍ମୀଙ୍କୁ ମନ୍ତ୍ର ଫୁଙ୍କିବେ ମୁଖିଆ । ପ୍ରଭାରୀ ମଧ୍ୟ ଦଳକୁ ତୃଣମୁଳ ସ୍ତରରୁ ଅଧିକ ସଂଗଠିତ ହେବାକୁ ଉପଦେଶ ଦେଉଛନ୍ତି । ଫେବୃଆରୀ ଦ୍ୱିତୀୟ ସପ୍ତାହରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ପାଇଁ ରାହୁଲ ଗାନ୍ଧୀ ଓଡିଶା ଆସିବେ । ସେନେଇ ମଧ୍ୟ ଖଡଗେ ସମୀକ୍ଷା କରିବେ ବୋଲି ସୂଚନା ମିଳିଛି । ବିଜେଡି ଏବଂ ବିଜେପିର ଭିତରି ସମ୍ପର୍କ ବିଷୟରେ ଖଡଗେ ଲୋକଙ୍କୁ ଅବଗତ କରାଇବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଖଡଗେଙ୍କ ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ସଜେଇ ହୋଇଛି କଂଗ୍ରେସ ଭବନ । ନେତା ଓ କର୍ମୀ ସମସ୍ତେ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.