ଅର୍ଥବଳୀ ନେତା ସନାତନ ମହାକୁଡ଼ଙ୍କ ଘରେ ରେଡ୍, ଭୁବନେଶ୍ୱରର ୧୦ଟି ଜାଗାରେ ଏକକାଳୀନ ଚଢ଼ଉ ଚାଲିଛି

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପୁଣି ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଛାପା ପଡିଛି ।  ଅର୍ଥବଳୀ ନେତା ସନାତନ ମହାକୁଡ଼ଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ରେଡ୍ ହୋଇଛି । କେନ୍ଦୁଝର, ଯୋଡା ଏବଂ ଭୁବନେଶ୍ୱରର ୧୦ଟି ଜାଗାରେ ଏକକାଳୀନ ଚଢ଼ଉ ଚାଲିଛି । କୋଟି କୋଟି ଟଙ୍କାର ଟିକସ ଫାଙ୍କି ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ଜଣାପଡ଼ିଛି ।

ଆଜି ବଡ଼ି ସକାଳୁ ସନାତ ମହାକୁଡ଼ଙ୍କର କେନ୍ଦୁଝର, ଯୋଡ଼ା ଏବଂ ଭୁବନେଶ୍ୱର ଘରେ ଆୟକର ବିଭାଗର ଅଧିକାରୀମାନେ ପହଞ୍ଚିଥିଲେ । କେନ୍ଦୁଝରରେ ତାଙ୍କର ଭଡ଼ାଘର ଥିବା ବେଳେ ଯୋଡାରେ କ୍ୟାମ୍ପ ଅଫିସ୍ ଏବଂ ନମ୍ବିରାରେ ପୈତୃକ ଘର ଅଛି । ସେହିଭଳି ଭୁବନେଶ୍ୱରରେ ତାଙ୍କର ବାସଭବନ ଏବଂ ଅଫିସ ରହିଛି । ଭୁବନେଶ୍ୱରରେ ଥିବା ତାଙ୍କ ବ୍ୟକ୍ତିଗତ ସହାୟକଙ୍କ ଘର ମଧ୍ୟ ଆୟକର ନଜରରୁ ବର୍ତ୍ତିନାହିଁ । ମୋଟ ୧୦ ଟି ଜାଗାରେ ଚଢ଼ଉ ଚାଲିଥିବା ଜଣାପଡ଼ିଛି ।

୨୦୧୪ ମସିହାରେ ଚମ୍ପୁଆରୁ ସ୍ୱାଧୀନ ଭାବେ ଲଢ଼ି ବିଧାୟକ ହୋଇଥିଲେ ଖଣି ବ୍ୟବସାୟୀ ସନା ମହାକୁଡ଼ । ସବୁଠାରୁ ଧନୀ ବିଧାୟକ ଭାବେ ଗଣତି ହେଉଥିଲେ । ତେବେ ବିବାଦ ତାଙ୍କର ପିଛା ଛାଡ଼ି ନ ଥିଲା । ଖଣି ଦୁର୍ନୀତି ଅଭିଯୋଗରେ ୨୦୧୫ ମସିହାରେ ଇଡି ତାଙ୍କ ଘର ଓ ବ୍ୟବସାୟ ସାମ୍ରାଜ୍ୟ ଉପରେ ଚଢ଼ଉ କରିଥିଲା ।

ପରବର୍ଷ ବେଆଇନ ଭାବେ ଚାନ୍ଦା ଆଦାୟ ଏବଂ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭନ କରିବାର ଅଭିଯୋଗରେ ମଧ୍ୟ ସେ ଛନ୍ଦି ହୋଇଥିଲେ । ସେହି ମାମଲାରେ ପୁଲିସ ତାଙ୍କର ୧୬ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ସେହିବର୍ଷ ୫ ଏକର ଜଙ୍ଗଲ ଜମି ଉପରେ ତାଙ୍କର ଜବରଦଖଲ ଘରକୁ ସ୍ଥାନୀୟ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ । ୨୦୧୮ ମସିହାରେ ଶ୍ରୀ ମହାକୁଡ଼ଙ୍କର ୫ଟି କରେଣ୍ଟ ଆକାଉଣ୍ଟ କୁ ପୁଲିସ ଅଚଳ କରିଥିଲା । ସେଗୁଡ଼ିକରେ ୧୬୫ କୋଟି ଟଙ୍କା ଥିଲା । ସନାତନ ମହାକୁଡ଼ଙ୍କ ନାଁରେ ମୋଟ ୩୦ରୁ ଅଧିକ ମାମଲା ଥିଲା ବେଳେ ଇତିମଧ୍ୟରେ ୨୯ ଟି ମାମଲାରେ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.