ଫେବୃଆରୀରେ କଲବଲ କରୁଛି ଖରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମାଘ ମାସରେ ଜାଡ଼ ବଦଳରେ କଲବଲ କରୁଛି ଖରା । ରାଜ୍ୟରେ ଫେବୃଆରୀ ମାସରୁ ରାତି ତାପମାତ୍ରା ବଢ଼ୁଥିବାବେଳେ ଦିନରେ ମଧ୍ୟ ତାତି ଅନୁଭୂତ ହେଲାଣି। ଉପକୂଳରୁ ଆଭ୍ୟନ୍ତର, ସବୁଠି ଗରମରେ କଲବଲ ହେଉଛନ୍ତି ରାଜ୍ୟବାସୀ ।  ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଏପରି ରହିବ। ଏହାପରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ହ୍ରାସ ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଉପକୂଳ ଓଡ଼ିଶାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୨ ରୁ ୫ ଡିଗ୍ରୀ ବଢ଼ିଥିବା ବେଳେ, ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୭ ଡିଗ୍ରୀ ଅଧିକ ରେକର୍ଡ ହୋଇଛି । ଆହୁରି ୨ ଦିନ ଯାଏଁ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ସେହିପରି ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ହାଲୁକା ବର୍ଷା ହୋଇଛି। ଯୋଡାରେ ୧୧.୪ ମି.ମି.ଏବଂ କେନ୍ଦୁଝରରେ ୧.୪ ମି.ମି ବର୍ଷା ହୋଇଛି। ଅନ୍ୟପକ୍ଷରେ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା  ୩୫ ଡିଗ୍ରୀ ଉପରେ ରହିଥିବାବେଳେ ଭୁବନେଶ୍ବରରେ ୩୧.୮ ଏବଂ କଟକରେ ୩୦.୨ ଡିଗ୍ରୀ ରେକର୍ଡ଼ ହୋଇଛି।

ପୁରୀରେ ସର୍ବାଧିକ ୨୪.୧ ଡିଗ୍ରୀ, ଭୁବନେଶ୍ବର ଏବଂ ପାରାଦ୍ବୀପରେ ୨୩.୫ ଡିଗ୍ରୀ ରେକର୍ଡ଼ ହୋଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୬ ଡିଗ୍ରୀ ଯାଏଁ ଅଧିକ ରେକର୍ଡ଼ ହୋଇଛି। ସେପଟେ ଆଗାମୀ ଦୁଇ ଦିନ କୁହୁଡି ପାଇଁ କିଛି ଜିଲ୍ଲାକୁ ସତର୍କ କରାଇଛି ପାଣିପାଗ ବିଭାଗ । ତେବେ ଆସନ୍ତା ୧୧ ତାରିଖରେ ରାଜ୍ୟର କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି ।

Leave A Reply

Your email address will not be published.