ଆଜି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ବର୍ଷକର ଆୟବ୍ୟୟ ହିସାବ ଦେଇ 2024-25 ଆର୍ଥିକ ବର୍ଷର 4 ମାସ ପାଇଁ ଗୃହରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅର୍ଥମନ୍ତ୍ରୀ ଅପରାହ୍ନ ୫ଟା ବେଳେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ନିର୍ବାଚନ ବର୍ଷ ଥିବାରୁ ଏହି କାମଚଳା ବଜେଟ୍ ବେଶ୍ ଗୁରୁତ୍ୱବହନ କରୁଛି।

ଏଥର ବଜେଟରେ ସରକାର କିଛି ଘୋଷଣା କରିପାରନ୍ତି। ତେବେ ଗତ ଦୁଇ ଦିନ ଧରି ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ବଜେଟ୍ ଆଗତ ହେବାକୁ ଯାଉଛି। ତେଣୁ ଅନୁମାନ କରଯାଉଛି କି ଆଜି ବି ଗୃହ ସରଗରମ ରହିପାରେ। ବଜେଟରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ଓ ମହିଳାଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ କୃଷିକ୍ଷେତ୍ର ଉପରେ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଅର୍ଥମନ୍ତ୍ରୀ ଏହି କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ କରିବେ । ସାରା ରାଜ୍ୟବାସୀଙ୍କ ନଜର ଏହା ଉପରେ ରହିଛି ।

ଫେବ୍ରୁଆରୀ ୫ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ ଆରମ୍ଭ ହୋଇଥିଲା । ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଷୋଡଶ ବିଧାନସଭାର ୧୫ତମ ଅଧିବେଶନରେ ମୋଟ ୭ଟି କାର୍ଯ୍ୟଦିବସ ରହିଛି । ଆସନ୍ତା ୮ ତାରିଖରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପ୍ରାୟ ୨ ଲକ୍ଷ ୬୦ ହଜାର କୋଟିର କାମଚଳା ବଜେଟକୁ ଗୃହରେ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

Leave A Reply

Your email address will not be published.