ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗିରଫ ହେଲେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ ବରିଷ୍ଠ ଅଧିକାରୀ ତଥା ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ (ଡିଏସ୍‌ଡବ୍ଲୁଓ) ଜୟନ୍ତୀ ବେହେରାଙ୍କ ଘରେ ଗତକାଲି ଚଢ଼ାଉ କରିବା ପରେ ଆଜି ଗିରଫ କରିଛି ଭିଜିଲାନ୍ସ। ଚଢ଼ାଉ ପରେ ଶ୍ରୀମତୀ ବେହେରାଙ୍କ ଏକାଧିକ କୋଠା ଓ ଫ୍ଲାଟ୍‌ ଠାବ ହୋଇଛି। ଶ୍ରୀମତୀ ବେହେରାଙ୍କ ସମ୍ପତ୍ତି ୩ କୋଟି ୪୧ ଲକ୍ଷ ୬୮ ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି।
ସୂଚନା ଅନୁସାରେ, ଗୁରୁବାର ସକାଳେ ଶ୍ରୀମତୀ ବେହେରାଙ୍କ ବାଲେଶ୍ବରସ୍ଥିତ ବାସଭବନ ସମେତ ଭଦ୍ରକ ଓ ଭୁବନେଶ୍ୱରର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଶ୍ରୀମତୀ ବେହେରାଙ୍କର ବାଲେଶ୍ବର ସହଦେବଖୁଣ୍ଟା ଫିରିଙ୍ଗିପାଟଣାଠାରେ ଥିବା ୩ ମହଲା କୋଠା, ଗଣେଶ୍ୱରପୁର ସିଦ୍ଧେଶ୍ୱର କଲୋନିଠାରେ ଥିବା ତିନିମହଲା କୋଠା, ଜାନୁଗଞ୍ଜ ସିଦ୍ଧେଶ୍ୱରପୁରଠାରେ ନିର୍ମାଣାଧୀନ ୨ ମହଲା କୋଠା, ବାଲେଶ୍ବର ଡିଆରଡିଏ କାର୍ଯ୍ୟାଳୟରେ କଲ୍‌ ସେଣ୍ଟର ଏକ୍‌ଜିକ୍ୟୁଟିଭ୍‌ ଚାକିରି କରୁଥିବା ପୁଅ ରୋହିତ କୁମାର ମଣ୍ଡଳଙ୍କ ଅଫିସ୍‌ ପ୍ରକୋଷ୍ଠ, ସୁନହଟରେ ଥିବା ସମ୍ପର୍କୀୟଙ୍କ ଘର, ଚିଡ଼ିଆପୋଲସ୍ଥିତ ତାଙ୍କ ସହଯୋଗୀଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର, ଭଦ୍ରକସ୍ଥିତ ଭଡ଼ାଘର ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅଫିସ୍‌ ପ୍ରକୋଷ୍ଠ, ଭୁବନେଶ୍ୱର ଗୌତମନଗରସ୍ଥିତ ରୟାଲ୍‌ ରେସିଡେନ୍ସି ଆପାର୍ଟମେଣ୍ଟରେ ଥିବା ୩ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱର ଓଲଡ୍‌ ଟାଉନ୍‌ସ୍ଥିତ ଷ୍ଟଲୱାର୍ଟ ଆପାର୍ଟମେଣ୍ଟରେ ୩ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ କରିଥିଲେ ଭିଜିଲାନ୍ସ ଟିମ୍‌।

ଚଢ଼ାଉ ସମୟରେ ବାଲେଶ୍ୱରରେ ତାଙ୍କର ୨ଟି ତିନିମହଲା କୋଠା, ଭୁବନେଶ୍ୱରରେ ୨ଟି ଫ୍ଲାଟ୍, ବ୍ୟାଙ୍କ, ବୀମା ଓ ପୋଷ୍ଟାଲ ଜମା ମିଶି ମୋଟ୍‌ ୧ କୋଟି ୬୧ ଲକ୍ଷ ଜବତ କରାଯାଇଛି। ଏଥିସହିତ ଗୋଟିଏ କାର୍, ୨ଟି ବାଇକ୍‌, ୨ କେଜିରୁ ଊର୍ଦ୍ଧ୍ବ ରୁପା, ୧୦୦ ଗ୍ରାମରୁ ଅଧିକ ସୁନା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ଘରୁ ଜବତ ହୋଇଛି। ବିଳମ୍ବିତ ରାତି ଯାଏ ଚଢ଼ାଉ ଜାରି ରହିଥିବାବେଳେ ଏବେସୁଦ୍ଧା ଶ୍ରୀମତୀ ବେହେରାଙ୍କ ସମ୍ପତ୍ତି ୩ କୋଟି ୪୧ ଲକ୍ଷ ୬୮ ହଜାର ବୋଲି ଭିଜିଲାନ୍ସ ଆକଳନ କରିଛି। ଏ ନେଇ ଭିଜିଲାନ୍ସ ପକ୍ଷରୁ ୧/୨୩ରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍‌ପି ମହେଶ୍ବର ସେଠୀ, ଡିଏସ୍‌ପି ଏସ୍‌କେ ସାମନ୍ତରାୟ, ଏସ୍‌କେ ମାଝୀ, ଦକ୍ଷିଣଚାନ୍ଦ ମୁର୍ମୁ ଓ ସିକନ୍ଦର ହେମ୍ବ୍ରମ୍‌ଙ୍କ ସହିତ ୮ ଜଣ ଇନ୍ସପେକ୍ଟର, ୨ ଜଣ ଏସ୍‌ଆଇ, ୩ ଜଣ ଏଏସ୍‌ଆଇ, ୧୪ ଜଣ କନେଷ୍ଟବଳ ଚଢ଼ାଉରେ ସାମିଲ ହୋଇଥିଲେ।

Leave A Reply

Your email address will not be published.