ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ଷ୍ଟାର ପ୍ରଚାରକ ତଥା ନବୀନ ଓଡିଶାର ମୁଖ୍ୟ ସାରଥୀ କାର୍ତ୍ତିକ ପାଣ୍ଡିଆନ ବୁଧବାର ମୟୂରଭଞ୍ଜ ଲୋକସଭା କ୍ଷେତ୍ରର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଶିପୁର, ସାରସକଣା, ବାଙ୍ଗିରିପୋଷି, ମୋରଡା ଓ ଉଦଳାରେ ମାରାଥନ ପ୍ରଚାର କରି ଫେରିଛନ୍ତି। ପ୍ରତ୍ୟେକ ସଭାରେ ଶ୍ରୀ ପାଣ୍ଡିଆନଙ୍କ ସହିତ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଯୋଗଦେଇଥିବା ବେଳେ ପୃଥକ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ/ପ୍ରାର୍ଥିନୀ ଉପସ୍ଥିତ ରହି ଭୋଟଭିକ୍ଷା କରିଥିଲେ। ପୂର୍ବ ନିର୍ଦ୍ଧାରିତ ଗସ୍ତସୂଚୀ ଅନୁସାରେ ପ୍ରଥମେ ପୂର୍ବାହ୍ନ ୧୧ଟାରେ ଯଶିପୁର ବିଧାନସଭା ମଣ୍ଡଳୀର ଭଞ୍ଜକିଆ ଠାରେ ଦଳ ପକ୍ଷରୁ ଆୟୋଜିତ ବିଶାଳ ନିର୍ବାଚନ ସମାବେଶରେ ଯୋଗ ଦେଇ ଶ୍ରୀ ପାଣ୍ଡିଆନ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ଯଶିପୁର ବିଧାୟକ ପ୍ରାର୍ଥୀ ଚକ୍ରଧର ହେମ୍ବ୍ରମଙ୍କ ନିମନ୍ତେ ପାଇଁ ପ୍ରଚାର କରିଥିଲେ।
ଏହାପରେ ବିଶୋଇ ଠାରେ ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ସାରସକଣା ବିଧାୟକ ପ୍ରାର୍ଥୀ ଡା ଦେବାଶିଷ ମାର୍ଣ୍ଡି ନିମନ୍ତେ ପରେ କଳାବାଡିଆ ଠାରେ ଆୟୋଜିତ ସଭାରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବାଙ୍ଗିରିପୋଷି ବିଧାୟିକା ପ୍ରାର୍ଥିନୀ ରଞ୍ଜିତା ମାରାଣ୍ଡିଙ୍କ ପାଇଁ ପ୍ରଚାର କରିଥିଲେ । ସେଠାରେ କିଛି ସମୟ ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୩ଟା ୧୫ରେ ମୋରଡା ନିର୍ବାଚନ ମଣ୍ଡଳୀର ପାଟପୁର ସଭାରେ ଯୋଗଦେଇ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବିଧାୟିକା ପ୍ରାର୍ଥିନୀ ପ୍ରୀତିନନ୍ଦା କାନୁନଗୋ ପାଇଁ ପ୍ରଚାର କରିବା ପରେ ଉଦଳା ଠାରେ ଆୟୋଜିତ ସଭାରେ ଯୋଗଦେଇଥିଲେ । ସେଠାରେ ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡି ଓ ବିଧାୟକ ପ୍ରାର୍ଥୀ ଶ୍ରୀନାଥ ସୋରନଙ୍କ ପାଇଁ ଶ୍ରୀ ପାଣ୍ଡିଆନ ପ୍ରଚାର କରି କେନ୍ଦ୍ରାପଡା ଅଭିମୁଖେ ହେଲିକପ୍ଟର ଯୋଗେ ଯାଇଥିଲେ । ୫ଟି ସ୍ଥାନରେ ହ୍ୟାଲିପେଡରୁ ତାଙ୍କୁ ଭବ୍ୟ ସ୍ବାଗତ ପୂର୍ବକ ସଭାସ୍ଥଳକୁ କର୍ମୀଗଣ ଆଣିଥିଲେ । ଶ୍ରୀ ପାଣ୍ଡିଆନ ମଞ୍ଚକୁ ଯିବା ପୂର୍ବରୁ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟକୁ ଯାଇ ହାତ ମେଳାଇବା ସହିତ ସେଲଫି ଉଠାଇଥିଲେ । ମହିଳା ମାନେ ଶଙ୍ଖ ଓ ହୁଳହୁଳି ସହିତ ପୁଷ୍ପ ବୃଷ୍ଟି କରିଥିଲେ । ପରେ ମଞ୍ଚକୁ ଯିବା ପରେ ଉଭୟ ପ୍ରାର୍ଥୀ ନିଜର ବକ୍ତବ୍ୟ ରଖିବା ପରେ ଶ୍ରୀ ପାଣ୍ଡିଆନ ଜୟଜଗନ୍ନାଥ କହି ସମ୍ବୋଧନ ଆରମ୍ଭ କରିଥିଲେ ।
ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ରୂପାନ୍ତିକରଣରେ ଶିକ୍ଷାନୁଷ୍ଠାନ, ଡାକ୍ତରଖାନା, ଧର୍ମପୀଠ ଗୁଡିକ ନୂଆରୂପ ପାଇଥିବା ବେଳେ, ରାସ୍ତା ଘାଟ, ଶ୍ମଶାନ, କମ୍ୟୁନିଟି ଗୃହ, ପାନୀୟଜଳ, ଜଳସେଚନ, ଗମନାଗମନ ସୁବିଧା ଓ ବୃହତ୍ତ ପ୍ରକଳ୍ପ ଆଦିର ତାଲିକା କହିବା ସହିତ ସମସ୍ତ କାର୍ଯ୍ୟ ନବୀନ ପଟ୍ଟନାୟକ କରିଛନ୍ତି। ଏଣୁ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ବିଜୟୀ କରି ୨୦୩୪ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସେ ଉଦବୋଧନ ଦେଇଥିଲେ। ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି, ମମତା, ଲକ୍ଷ୍ମୀବସ, କାଳିଆ, ୫-ଟି ସ୍କୁଲ ଶିକ୍ଷା, ମଧୁବାବୁ ପେନସନ, ରାସନ କାର୍ଡ, ଛାତ୍ର ବୃତ୍ତି, ପୁରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଆଦି ଲୋକାଭିମୁଖୀ ଯୋଜନା ଅଟେ ବୋଲି କହିଥିଲେ। ଆସନ୍ତା ଜୁନ ୯ତାରିଖରେ ମୁଖ୍ୟମନ୍ତ୍ରୀ ପୁନର୍ବାର ଶପଥ ଗ୍ରହଣ କରିବେ। ଶପଥ ନେବା ପରେ ସର୍ବପ୍ରଥମେ ବିଜୁଳି ବିଲ ଛାଡ କରାଯିବ। ଯାହା ଫଳରେ ୯୦ପ୍ରତିଶତ ଲୋକ ଉପକୃତ ହେବେ। ଦ୍ୱିତୀୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ। ଏଥି ସହିତ ତୃତୀୟରେ ମିଶନ ଶକ୍ତି ମହିଳା ମାନଙ୍କୁ ପେନସନ ପ୍ରଦାନ କରିବେ ବୋଲି କହିଥିଲେ। ବିରୋଧୀ ବିଜେପିକୁ ସିଧା ଆକ୍ରମଣ କରି ପରାଜୟ ଜାଣି ବିଜେପି ନେତୃବୃନ୍ଦ ଅପପ୍ରଚାର କରିବା ସହିତ ଓଡିଆଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହିଥିଲେ ।
ତାଙ୍କୁ ଭୋଟଦେଲେ ଓଡିଶା ୨୫ବର୍ଷ ପଛକୁ ଫେରିଯିବ ବୋଲି ଚେତାଇଥିଲେ । ତେଣୁ ଆଗାମୀ ନିର୍ବାଚନରେ ଜନସାଧାରଣ ସମର୍ଥନ ଲୋଡ଼ିବା ସହ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଥିଲେ । ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଦଳର ପ୍ରାର୍ଥୀ ଦ୍ୱୟଙ୍କୁ ବିଜୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟ ସତ୍ତ୍ୱେ ଶ୍ରୀ ପାଣ୍ଡିଆନଙ୍କ ସମସ୍ତ ୫ଟି ସମାବେଶରେ ବହୁ ଜନସାଧାରଣଙ୍କ ଉପସ୍ଥିତି ବିଜେଡି ପ୍ରତି ମୟୂରଭଞ୍ଜ ବାସୀଙ୍କ ଭଲପାଇବା ପ୍ରମାଣିତ କରିଥିଲା । କାର୍ଯ୍ୟକ୍ରମ ମାନଙ୍କରେ ଦଳର ଜିଲ୍ଲା ସଭାପତି, ନିର୍ବାଚନ ମଣ୍ଡଳୀ ସଂଯୋଜକ, ଦଳୀୟ ବିଧାୟକ, ବ୍ଲକ ସଭାପତି, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଯୁବ, ଛାତ୍ର, ମହିଳା କର୍ମକର୍ତ୍ତା ଉପସ୍ଥିତ ଥିଲେ। ସୂଚନା ଥାଉକି ଶ୍ରୀ ପାଣ୍ଡିଆନ ଠାକୁରମୁଣ୍ଡା ଓ ମଙ୍ଗଳବାର ବେତନଟୀରେ ପ୍ରଚାର କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାଣ୍ଡିଆନଙ୍କ ସହିତ ବାରିପଦା ଓ ରାଇରଙ୍ଗପୁରରେ ପୃଥକ ନିର୍ବାଚନୀ ସଭାରେ ପ୍ରଚାର କରିସାରିଛନ୍ତି ।
Comments are closed.