କିଡନୀ ରୋଗୀ ନିଶୁଳ୍କରେ ପାଇପାରିବେ ଡାଏଲିସିସ୍‌ ସେବା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ସ୍ୱାସ୍ଥ୍ୟକ୍ଷେତ୍ରରେ ଆଉ ପାଦେ ଆଗେଇଛି । ଏଣିକି କିଡନୀ ରୋଗୀ ନିଶୁଳ୍କରେ ପାଇପାରିବେ ଡାଏଲିସିସ୍‌ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ରାଜ୍ୟର ୧୬ ଗୋଟି ଡାଏଲିସିସ୍‌ ୟୁନିଟ୍‌ ଉଦଘାଟନ କରିଛନ୍ତି । ରାଜ୍ୟରେ ୫-ଟି ଉପକ୍ରମରେ ଉପ-ଜିଲ୍ଲାସ୍ତରରେ ସମୁଦାୟ ୩୨ଟି ଡାଏଲେସିସ୍ କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏସବୁ ଡାଏଲିସିସ୍ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ଏଣିକି କିଡ୍‌ନି ଆକ୍ରାନ୍ତମାନେ ଘର ପାଖରେ ବିନା ମୂଲ୍ୟରେ ଡାଏଲେସିସ୍ ସେବା ପାଇ ପାରିବେ। ରାଜ୍ୟବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ୨୦୧୮ରେ ମାଗଣା ଡାଏଲିସିସ୍ ସେବା ‘ସହାୟ’ ଆରମ୍ଭ ହୋଇଥିଲା। ଏହି ସେବା ଯୋଗାଇ ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ସେବା ସମସ୍ତ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଆରମ୍ଭ ହୋଇଥିଲା।

ରୋଗୀଙ୍କୁ ମାଗଣା ଡାଏଲେସିସ୍ ସେବା ଦେବା ପାଇଁ ରାଜ୍ୟ ସରକାର ବର୍ଷକୁ ୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ବିଏସ୍‌କେୱାଇ-ନବୀନ କାର୍ଡ ଜରିଆରେ ବର୍ଷକୁ ୪ କୋଟିରୁ ଅଧିକ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଉଛି। ଫଳରେ ରୋଗୀମାନଙ୍କୁ ଅର୍ଥ ପାଇଁ ଚିନ୍ତା କରିବାର ସମସ୍ୟା ଦୂର ହୋଇଛି। ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରଗୁଡ଼ିକର ରୂପାନ୍ତର କରାଯାଉଛି। ‘ଆମ ହସ୍ପିଟାଲ’ କାର୍ଯ୍ୟକ୍ରମରେ ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବା ପାଇଁ କାମ ଚାଲିଛି। ସେଠାରେ ଧନୀ-ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲ୍ଲୀରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ କଟକ ଜିଲ୍ଲା ତିଗିରିଆରୁ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଯୋଡ଼ିହେଇଥିଲେ। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢ଼େ ୪କୋଟି ଲୋକଙ୍କୁ ତାଙ୍କ ପରିବାର ଭାବେ ଗ୍ରହଣ କରିଛନ୍ତି। ତେଣୁ ଏହାକୁ ଗୁରୁତ୍ୱର ସହ ନେଇ କର୍କଟର ଚିକିତ୍ସା ପାଇଁ କେମୋଥେରାପି ଓ କିଡ୍‌ନି ରୋଗ ପାଇଁ ଡାଏଲେସିସ୍ ସୁବିଧା ଘର ପାଖରେ ମାଗଣାରେ କରିଛନ୍ତି।

 

Leave A Reply

Your email address will not be published.