ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋଲକାତାର ଏକ ସରକାରୀ ହସ୍ପିଟାଲରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ବ୍ୟାପକ ହେବାରେ ଲାଗିଛି ଡାକ୍ତରଙ୍କ ଆନ୍ଦୋଳନ । ଆଜି ରାସ୍ତାକୁ ଓହ୍ଲାଇଛନ୍ତି ସମଗ୍ର ଦେଶର ଡାକ୍ତର । ବିଭିନ୍ନ ସହରରେ ଆଜି ଡାକ୍ତରମାନେ କାର୍ଯ୍ୟବନ୍ଦ ଧାରଣା ଦେଇଛନ୍ତି । ‘ନୋ ସେଫ୍ଟି, ନୋ ଡ୍ୟୁଟି’ ନାରାରେ ଏମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ବସିଛନ୍ତି । କେବଳ ଜରୁରୀକାଳୀନ ବିଭାଗକୁ ଛାଡିଦେଲେ ପ୍ରାୟ ଅନ୍ୟ ସମସ୍ତ ବିଭାଗରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ବିଭିନ୍ନ ହସ୍ପିଟାଲରେ ‘ଓପିଡି’ ବନ୍ଦ ରହିଛି ।
ଦିଲ୍ଲୀରେ ‘ଏମ୍ସ’ ସମେତ ଅନେକ ସରକାରୀ ହସ୍ପିଟାଲରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅଭିଯୁକ୍ତ ବଳାତ୍କାର ପୂର୍ବରୁ ପୀଡ଼ିତାଙ୍କୁ ପ୍ରବଳ ପିଟିଥିଲେ। ତାଙ୍କ ମୁହଁକୁ ବହୁଥର ଆକ୍ରମଣ କରାଯାଇଥିବା ବେଳେ ତାଙ୍କ ଚଷମା ଭାଙ୍ଗି ଯାଇଥିଲା। ଏପରିକି ଚଷମାର କାଚର କିଛି ଅଂଶ ତାଙ୍କ ଆଖିରେ ଗଳି ଯାଇଥିବା ଜଣାଯାଇଛି। ପ୍ରବଳ ମାଡ ଯୋଗୁ ପୀଡ଼ିତାଙ୍କ ବେକ ହାଡ଼ ଭାଙ୍ଗି ଯାଇଥିବା ରିପୋର୍ଟରେ ଉଲ୍ଲେଖ ଅଛି |ହତ୍ୟା ପୂର୍ବରୁ ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ଅଭିଯୁକ୍ତଜଣକ ଦୁଷ୍କର୍ମ କରାଯାଇଥିଲା। ଏହାପରେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ପୀଡ଼ିତାଙ୍କ ହତ୍ୟା ଶୁକ୍ରବାର ଭୋର ୩ଟାରୁ ୫ଟା ମଧ୍ୟରେ ହୋଇଥିବା ରିପୋର୍ଟରେ ଉଲ୍ଲେଖ ଅଛି। ଗତ ୯ ତାରିଖରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।
ଏହାକୁ ନେଇ ସାରା ଦେଶରେ ଡାକ୍ତର ମାନେ ଆନ୍ଦୋଳନ କରୁଛନ୍ତି । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୋଲିସ ଜଣେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରି ଘଟଣାର ଖୋଳତାଡ ଚଳାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବା ପରେ କୋଲକାତା ସମେତ ସାରା ଦେଶରେ ଉଦବେଗ ସୃଷ୍ଟି ହୋଇଛି। ଅପରପକ୍ଷେ ଘଟଣାର ସିବିଆଇ ତଦନ୍ତ ଦାବି ଉଠୁଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ପୋଲିସ ତଦନ୍ତରେ ବିଫଳ ହେଲେ ମାମଲା ସିବିଆଇକୁ ଦିଆଯିବ।