କୋରାପୁଟ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କୋରାପୁଟ ସଦର ମହକୁମା ର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିନ ହୋଇଛି। ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋରାପୁଟ ଜିଲ୍ଲା କେସିସି ବ୍ୟାଙ୍କ ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ ଆଚାର୍ଯ୍ୟ,ପାଣି ପଞ୍ଚାୟତ ଶୀର୍ଷ କମିଟି ସଭାପତି ବାଳକୃଷ୍ଣ ବିଷୋୟୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ।

ସମୁଚିତ ଉପାୟ ଅବଲମ୍ବନ କରି ଜଳର ସୁବ୍ୟବହାର କରିବାକୁ ବିଧାୟକ ଶ୍ରୀ ପାଢୀ ମତବ୍ୟକ୍ତ କରିଥିଲେ।ରଚନା, ଡିବେଟ ଓ କୁଇଜ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ବେହେରା ଯୋଗଦେଇ ପରିଚାଳନା କରିଥିଲେ। ଶେଷରେ ଇଞ୍ଜିନିୟର ରଞ୍ଜନୀକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ବୋରିଗୁମ୍ମା ଉପର କୋଲାବ ଜଳସେଚନ ବିଭାଜନ ଦ୍ବାରା ଖରିଫ ଋତୁରେ ୩୧୮୩୩ ହେକ୍ଟର ଜମିକୁ ଓ ୧୭୩୭୯.୨୭୩ହେକ୍ଟର ଜମିକୁ ରବି ଋତୁରେ ଜଳ ଯୋଗାଣ କରାଯାଉଛି।ଏହି ବିଭାଜନ ଅଧୀନରେ ୭୨ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଛି ଏବଂ ୨୫୩୫୩ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡିଛି। ଉପର କୋଲାବ ମୁଖ୍ୟବନ୍ଧ ବିଭାଜନ କୋଲାବନଗର ଦ୍ବାରା ଖରିଫ ଋତୁରେ ୧୦୬୨୩ ହେକ୍ଟର ଜମିକୁ ଓ ୮୩୦୦ ହେକ୍ଟର ଜମିକୁ ରବି ଋତୁରେ ଜଳ ଯୋଗାଣ କରାଯାଉଛି।ଏହି ବିଭାଜନ ଅଧୀନରେ ୨୫ ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଛି ଏବଂ ୭୮୦୨ ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡିଛି।

କ୍ଷୁଦ୍ର ଜଳସେଚନ ବିଭାଜନ ଦ୍ବାରା ଖରିଫ ଋତୁରେ ୫୭୯୫ ହେକ୍ଟର ଜମିକୁ ଏବଂ ୭୨୦ ହେକ୍ଟର ଜମିକୁ ରବି ଋତୁରେ ଜଳସେଚନ କରାଯାଉଥିବା ଜଣାପଡିଛି। ଏହି ବିଭାଜନ ଅଧୀନରେ ୪୧ ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଛି ଏବଂ ୬ ହଜାର ଜଣ ଚାଷୀ ସିଧାସଳଖ ଉପକୃତ ହେଉଥିବା ଜଣାପଡିଛି। କୋରାପୁଟ ଉଠା ଜଳସେଚନ ବିଭାଜନ ଦ୍ବାରା ୫୦୯୦୪ ହେକ୍ଟର ଜମିକୁ ଜଳ ଯୋଗାଣ କରାଯାଉଛି ଏବଂ ୧୬୧୫ ଗୋଟି ପାଣି ପଞ୍ଚାୟତ ପଞ୍ଜୀକୃତ ହୋଇଥିବା ଜଣାପଡିଛି। ଉପର କୋଲାବ ନଦୀବନ୍ଧର ମରାମତି ପାଇଁ ୧୦୦ କୋଟି ଟଙ୍କାର ପ୍ରସ୍ତାବ ଯାଇଛି । ଅନୁମୋଦନ ପରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ କହିଛନ୍ତି।କେନାଲ ରାସ୍ତାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ସରକାର ୧୭୦ କୋଟି ଟଙ୍କା ଦେଇଛନ୍ତି ବୋଲି ପଟ୍ଟାଙ୍ଗୀ ବିଧାୟକ କହିଛନ୍ତି।

Leave A Reply

Your email address will not be published.