ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା କୋରାପୁଟ ଜିଲ୍ଲା ବିଜ୍ଞାନ କେନ୍ଦ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେଲା କୋରାପୁଟ ଜିଲ୍ଲା ବିଜ୍ଞାନ କେନ୍ଦ୍ର। କୋରାପୁଟ ଜିଲ୍ଲା ଜୟପୁର ଠାରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଏହି ବିଜ୍ଞାନ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଥିଲା। ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ବିଜ୍ଞାନ କେନ୍ଦ୍ର ସର୍ବସାଧାରଣଙ୍କ ନିମନ୍ତେ ବର୍ତ୍ତମାନ ଖୋଲିବାକୁ ଯାଉଛି।

ଆଜିର ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନପତି, କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲ, କୋଟପାଡ ବିଧାୟିକା ପଦ୍ମିନୀ ଦିଆନ, କୋରାପୁଟ ଜିଲ୍ଲାପାଳ ଭି. କିର୍ତ୍ତୀଭାସନ, କୋରାପୁଟ ଜିଲ୍ଲାର ପୂର୍ବତନ ବିଜେଡି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପରିଷଦ ଭାଇସ୍ ଚେୟାରମେନ ଶ୍ରୀଯୁକ୍ତ ରାଧା ବିନୋଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ଥିଲେ। ୨୦୧୯ ମସିହାରେ ଏହି ବିଜ୍ଞାନ କେନ୍ଦ୍ର ଜୟପୁର ଠାରେ ଖୋଲାଯିବାକୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଏହି ବିଜ୍ଞାନ କେନ୍ଦ୍ର ଜୟପୁର ସ୍ଥିତ ସ୍ଥାନୀୟ ଫୁଲବାଡ ନିକଟରେ ଥିବା ୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ୫ଏକର ଜମିରେ କରାଯାଇଛି।ରାଜ୍ୟ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ତରଫରୁ ବିଜ୍ଞାନ କେନ୍ଦ୍ର ଜୟପୁର ଠାରେ ନିର୍ମାଣ କରିବାକୁ ଟେଣ୍ଡର ହୋଇଥିଲା।ସାଇକୃପା ନାମକ ଏକ ଠିକା ସଂସ୍ଥା ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିବାକୁ ଟେଣ୍ଡର ନେଇଥିଲେ।୨୦୨୧ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୩ ମସିହା ସୁଦ୍ଧା କାର୍ଯ୍ୟ ସମାପ୍ତ କରିବା ନେଇ ଚୁକ୍ତି ନାମା ସ୍ୱାକ୍ଷର ହୋଇଥିଲା।

ବିଜ୍ଞାନ କେନ୍ଦ୍ରର କୋଠା ଭିତରେ ଜ୍ଞାନ ଆରୋହଣ କରିବାକୁ ୫୬ ପ୍ରକାରର ବିଜ୍ଞାନ ସମ୍ବନ୍ଧୀୟ ଉପକରଣକୁ ପ୍ରଦର୍ଶନ କରାଯାଇଛି। ଏବଂ ବାହାରେ ପ୍ରାୟ ୯ ପ୍ରକାର ତଥ୍ୟ ପ୍ରଦର୍ଶନ କରାଯାଇଛି। ବର୍ତ୍ତମାନ ଏହି ସାଇନ୍ସ୍ ପାର୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଠାରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନକୁ ଆସିଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ପ୍ରାୟ ସମସ୍ତ ପ୍ରକାର ନିର୍ଦ୍ଦେଶ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବା ମଧ୍ୟ ସୂଚନା ମିଳିଛି। ଆଜି ଏହି ବିଜ୍ଞାନ କେନ୍ଦ୍ର ଲୋକାର୍ପଣ କାର୍ଯ୍ୟ ସମାପ୍ତ ହେବା ପରେ ଜିଲ୍ଲା ଶିକ୍ଷା ବିଭାଗ ଏହାର ପରିଚାଳନା କରିବା ସହ ଦାୟିତ୍ୱ ତୁଲାଇବା ନେଇ ମଧ୍ୟ ସୂଚନା ମିଳିଛି। ଏହି ବିଜ୍ଞାନ କେନ୍ଦ୍ରରେ ଟିକଟ ବୁକିଂ କାଉଣ୍ଟର ମଧ୍ୟ କରାଯାଇଛି।ପର୍ଯ୍ୟଟକ, ସାଧାରଣ ଜନତା, ଏବଂ ଛାତ୍ର ଛାତ୍ରୀ ମାନେ ପାର୍କ ବୁଲି ଦେଖିବାକୁ ଚାହିଁଲେ ଧାର୍ଯ୍ୟ ଦର ଅନୁଯାୟୀ ଟିକଟ କ୍ରୟ କରି ପରିଦର୍ଶନ କରିପାରିବା ନେଇ ମଧ୍ୟ ସମସ୍ତ ପ୍ରକାରର ସୁବିଧା ରହିଛି। ସାଇନ୍ସ୍ ପାର୍କ ମଧ୍ୟରେ ୪୦ ଆସନ ବିଶିଷ୍ଟ ଏକ ମିନି ଅଡିଟୋରିୟମ ମଧ୍ୟ ରହିଛି। ବିଜ୍ଞାନ କ୍ଷେତ୍ରରେ ଜ୍ଞାନ ଆରୋହଣ କରିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହା ବେଶ୍ ସହାୟକ ହୋଇପାରିବ।

Leave A Reply

Your email address will not be published.