କରଞ୍ଜିଆ ଠାରେ ଶୁଭାରମ୍ଭ ହେଲା ଲକ୍ଷ୍ମୀ ବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗ୍ରାମାଞ୍ଚଳରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଲକ୍ଷ୍ମୀବସ ସେବା ଯୋଜନା ଆରମ୍ଭ କରିଥିବା ବେଳେ ସୋମବାର ଠାରୁ ମୟୂରଭଞ୍ଜ ଜିଲ୍ଲାରେ ଏହି ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ ହୋଇଯାଇଛି । ସୋମବାର ଦିନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଚୁଆଲ ମାଧ୍ୟମରେ ଉଦଘାଟନ କରିବା ପରେ ମୟୁରଭଞ୍ଜ ଜିଲ୍ଲା ର ବିଭିନ୍ନ ବ୍ଲକ ରେ ଲକ୍ଷ୍ମୀ ବସ ର ଶୁଭାରମ୍ଭ ହୋଇଥିବା ବେଳେ କରଞ୍ଜିଆ ରେ ମଧ୍ୟ ଲକ୍ଷ୍ମୀ ବସ ର ଶୁଭାରମ୍ଭ ହୋଇଯାଇଛି |

ଆଜି କରଞ୍ଜିଆ ବ୍ଲକ କାର୍ଯ୍ୟାଳୟ ଅଧିକାରୀ ସୁଶାନ୍ତ କୁମାର ସୁତାରଙ୍କ ସଭାପତିତ୍ବ ରେ ଦିବା ୧୧ଘଟିକା ସମୟରେ ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କରଞ୍ଜିଆ ବିଧାୟିକା ତଥା ରାଜ୍ୟ ମହିଳା ଶିଶୁବିକାଶ ଓ ମିଶନଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତକା ପ୍ରଦର୍ଶନ କରି ଶୁଭାରମ୍ଭବ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚପୀଡ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ,ଏନ.ଏ.ସି ଅଧ୍ୟକ୍ଷା ପପି ପୃଷ୍ଟି, ବ୍ଲକ ଅଧ୍ୟକ୍ଷା ସୁଭଦ୍ରା ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ସଂଖ୍ୟକ ମିଶନଶକ୍ତି ମହିଳା ଏବଂ ବିଭିନ୍ନ ସାୟଂଶହାୟିକା ମହିଳା ମାନେ ଉପସ୍ଥିତ ଥିଲେ |ତେବେ ଏହି ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୬୨ ଟି ବସ ଚାଲିବାର ବ୍ୟବସ୍ଥା କରାଯାଇଛି। ଏହି ବସ୍ ସେବା ପ୍ରତିଟି ବ୍ଲକରୁ ସମସ୍ତ ପଞ୍ଚାୟତ ଯାଏଁ ଚାଲିବା ପାଇଁ ସ୍ଥିର କରାଯାଇଛି।

ଏଥି ପାଇଁ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ନୂତନ ଡ୍ରାଇଭର, କଣ୍ଡକ୍ଟର ମାନଙ୍କୁ ପୋଷାକ ଏବଂ ଟିକେଟ ମେସିନ ପ୍ରଦାନ କରାଯାଇଛି। ଏହି ବସ ପାଇଁ ୧୦୧ଟି ରୁଟ ଚିହ୍ନଟ କରାଯିବା ସହିତ ମୋଟ ୧୦୧ଟି ବସ ଚଳାଚଳ କରିବ ଏବଂ ଏଥିପାଇଁ ୮୦୦ଟି ବସଷ୍ଟପ ପଞ୍ଚାୟତ ପକ୍ଷରୁ ନିର୍ମାଣ ହେବ। ସେହିପରି ୨୬ଟି ବ୍ଳକ ମୁଖ୍ୟାଳୟରେ ୧ ଏକର ଜାଗାରେ ବ୍ଲକ ବସଷ୍ଟାଣ୍ଡ ନିର୍ମାଣ ହେବ। ବସ ଚଳାଚଳ କରୁନଥିବା ପଞ୍ଚାୟତରୁ ସର୍ବ ପ୍ରଥମେ ସେବା କାର୍ଯ୍ୟକାରୀ ହେବ। ଏହି ବସ ଚଳାଚଳ ପରେ ମୟୂରଭଞ୍ଜ ଜିଲ୍ଲାର ବହୁ ଅଗମ୍ୟ ଅଞ୍ଚଳରେ ସ୍ବଳ୍ପ ମୂଲ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥା ସହଜ ଭାବେ ଉପଲବ୍ଧ ହେବା ସହ ଛାତ୍ରଛାତ୍ରୀ, ମହିଳା ଓ ଦିନମଜୁରିଆ ସମେତ ଜନସାଧାରଣ ବ୍ଲକ ମୁଖ୍ୟାଳୟ ଯିବାଆସିବା ସହଜ ଓ ସୁବିଧା ହେବ ବୋଲି ଜଣାଯାଇଛି।

Leave A Reply

Your email address will not be published.