ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ଲାଲକୃଷ୍ଣ ଆଡଭାନୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପାଖେଇ ଆସୁଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଭବ୍ୟ ସମାରୋହରେ ସାମିଲ ହେବାକୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଆଡଭାନୀଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିବା ବେଳେ ଏଥିନିମନ୍ତେ ସେ ସମ୍ମତି ଜଣାଇଛନ୍ତି।

ଆଡଭାନୀଙ୍କ ଅଯୋଧ୍ୟା ଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ। ୯୬ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ମହଜୁଦ ରହିବେ। ଏହି ପରିପ୍ରେକ୍ଷୀରେ ନିଜ ଖୁସି ବ୍ୟକ୍ତ କରି ଆଡଭାଣୀ କହିଛନ୍ତି, ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାର ସୁଯୋଗ ପାଇବା ଖୁବ୍‌ ସୌଭାଗ୍ୟର ବିଷୟ । କାରଣ ଏହା କେବଳ ଏକ ମନ୍ଦିର ନୁହେଁ, ଏହା ଦେଶର ପବିତ୍ରତା, ମର୍ଯ୍ୟାଦାର ପ୍ରସଙ୍ଗ ଅଟେ । ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଖେଇ ଆସୁଥିବା ବେଳେ ସମଗ୍ର ଦେଶର ପରିବେଶ ମଙ୍ଗଳମୟ ହୋଇ ଉଠିଲାଣି।

ତେଣୁ ଏପରି ସୁବର୍ଣ୍ଣ ସୁଯୋଗରେ ସାମିଲ ହେବା, ପ୍ରତ୍ୟକ୍ଷଦର୍ଶୀ ହେବାର ସୌଭାଗ୍ୟ ପାଇଥିବାରୁ ମୁଁ ନିଜକୁ ଖୁବ୍‌ ଭାଗ୍ୟଶାଳୀ ମନେ କରୁଛି। ଆଲୋକ କୁମାର କହିଛନ୍ତି ଯେ, ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଅଯୋଧ୍ୟା ଆସିବା ପରେ ଏଲ.କେ ଆଡଭାନୀଙ୍କୁ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଜାନୁଆରୀ 22ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି । ବହୁ ସାଧୁମାନଙ୍କୁ ନିମନ୍ତ୍ରଣ ପତ୍ର ମଧ୍ୟ ପଠାଯାଇଛି ।

 

Leave A Reply

Your email address will not be published.