ଜମିଜମା ଇ-ରେଜିଷ୍ଟ୍ରେସନ୍ ବ୍ୟବସ୍ଥାରେ ଆସିଲା ବଡ଼ ପରିବର୍ତନ । ଭିଡ଼ ସମସ୍ୟା ଦୂର କରିବା ପାଇଁ ଏଣିକି ଅନ୍ ଲାଇନରେ କରିହେବ ସ୍ଲଟ୍ ବୁକିଂ । ଆଇଜିଆଇ ବା ଇନ୍ସପେକ୍ଟର ଜେନେରାଲ ଅଫ୍ ରେଜିଷ୍ଟ୍ରେସନ ପକ୍ଷରୁ ଏନେଇ ଘୋଷଣା ହୋଇଛି । ଏହା ଦ୍ୱାରା ଜମି କିଣାବିକା ବା ଯେକୌଣସି ସେଲ୍ ଡିଡ୍ କିମ୍ବା ପଞ୍ଜୀକରଣ ପାଇଁ ସବ୍ରେଜିଷ୍ଟ୍ରସନ୍ ଅଫିସରରେ ଭିଡ ହେବ ନାହିଁ । ଅନଲାଇନରେ ପୂର୍ବରୁ ପଞ୍ଜୀକରଣ କରି ସ୍ଲଟ୍ ନେଇନଥିଲେ ଜମି କିଣାବିକା ପାଇଁ ଅନୁମତି ମିଳିବ ନାହିଁ । ବିଶେଷ କ୍ଷେତ୍ରରେ ଅନଲାଇନ୍ ପଞ୍ଜୀକରଣ କରାଇ ତକ୍ରାଳ ସୁବିଧା ବା ସ୍ଲଟ ଦିଆଯିବାର ବ୍ୟବସ୍ଥା ରହିବ । ଏହା ଦ୍ୱାରା ଜଣେ ବ୍ୟକ୍ତି ବିଶ୍ୱର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ତାର ଜମି କିଣାବିକା ପଞ୍ଜୀକରଣ ପାଇଁ ଅନ୍ଲାଇନରେ ଆବେଦନ କରିପାରିବେ । ଯାହା ଲୋକଙ୍କୁ ଖରା, ବର୍ଷା ଓ ଶୀତ ଆଦି ସମୟରେ ଘଣ୍ଟା ଘଣ୍ଟା ଧରି ଛିଡା ହେବା ପ୍ରକ୍ରିୟାରୁ ନିବୃତ ରଖିବ। ତେବେ ଅନ୍ ଲାଇନ୍ ସ୍ଲଟ ବୁକିଂ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରଖିଛି ସଂପୃକ୍ତ ରାଜସ୍ୱ ବିଭାଗ। ଯାହାକୁ ପାଳନ କରିବା ଜରୁରୀ। ରେଜିଷ୍ଟ୍ରେସନ୍ ମହାନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଚିଠି ଲେଖିବା ସହ ଗେଜେଟ୍ ବିଜ୍ଞପ୍ତିରେ ନୂଆ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଛନ୍ତି।
ବିଜ୍ଞପ୍ତି ଅନୁଯାୟୀ, ପଞ୍ଜିକରଣ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଜମି କିଣିବିକା କରିବାକୁ ଆସୁଥିବା ବ୍ୟକ୍ତିମାନେ ଅନଲାଇନରେ ସ୍ଲଟ୍ ବୁକିଂ କରିବା ଆବଶ୍ୟକ। ତଥାପି, ଯଦି କେହି କରିନାହାନ୍ତି ତାହେଲେ ପଞ୍ଜୀକରଣ ଅଧିକାରୀଙ୍କୁ ଏକ ଲିଖିତ ସ୍ପଷ୍ଟୀକରଣ ପ୍ରଦାନ କରିପାରିବେ। ଏହା କରିବାରେ ଅକ୍ଷମତାକୁ ଯଥାର୍ଥ ଦର୍ଶାଇବା, ଅଧିକାରୀ “ତତ୍କାଳ” ମାମଲା ଭାବରେ ପଞ୍ଜିକରଣ ପାଇଁ ଦସ୍ତାବିଜକୁ ଗ୍ରହଣ କରିପାରନ୍ତି। ତେବେ ଏହା ସେହି ଦିନ ସମୟର ଉପଲବ୍ଧତା ଉପରେ ନିର୍ଭର କରିବ। ଜମି ରେଜିଷ୍ଟ୍ରେସନ୍ ପାଇଁ ବିଭିନ୍ନ କାର୍ଯ୍ୟାଳୟକୁ ଅଯଥା ଯିବାରୁ ଲୋକଙ୍କୁ ବଞ୍ଚାଇବା ଏହି ନୂଆ ପ୍ରକ୍ରିୟାର ଲକ୍ଷ୍ୟ। ସଂଶୋଧିତ ପ୍ରକ୍ରିୟାରେ ବ୍ୟକ୍ତିମାନେ ଅନଲାଇନ୍ ସ୍ଲଟ୍ ବୁକିଂ କରିବେ ଏବଂ ତା’ପରେ ନିର୍ଦ୍ଦିଷ୍ଟ ତାରିଖରେ ତହସିଲ ଓ ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟକୁ ଯିବେ। ସେହି ସମୟ ମଧ୍ୟରେ ଜମି କିଣା-ବିକା ଚୁକ୍ତିନାମା କାର୍ଯ୍ୟକାରୀ ହେବ। ଏହି ପଦକ୍ଷେପ ଭାରତରେ ପ୍ରଥମ ବୋଲି ପ୍ରକାଶ କରିବା ସହ ଜମି ପଞ୍ଜିକରଣ ପ୍ରକ୍ରିୟାରେ ଯେପରି ଲୋକେ ସମୟ ନଷ୍ଟ ନ କରିବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।