ଥମିବାର ନାଁ ଧରୁନି ନିର୍ବାଚନୀ ହିଂସା। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଉ ୨ଟି ପର୍ଯ୍ୟାୟ ବାକି ଅଛି। ଏହାରି ଭିତରେ ଚିତ୍ରକୋଣ୍ଡାରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଲିସକୁ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ନାଦମାନଜେରୀ ଜଙ୍ଗଲ ମାଟି ତଳୁ ବ୍ୟାପକ ମାଓ ସାମଗ୍ରୀ ମିଳିଛି। ବିଏସଏଫ ଯବାନ ମିଳିତ ଅପରେସନରେ ଯାଇଥିବା ବେଳେ ଏ ସବୁ ସାମଗ୍ରୀ ମିଳିଛି। ପୁଲିସକୁ ଟାର୍ଗେଟ କରି ମାଓବାଦୀମାନେ ଏହି ସମଗ୍ରୀ ପୋତିଥିବା ଜଣାପଡ଼ିଛି।
ମିଳିଥିବା ସାମଗ୍ରୀ ମଧ୍ୟରେ ୫ଟି ବନ୍ଧୁକ, ଟିଫିନ ବୋମା, ଗୋଟିଏ ପ୍ରେସର ଆଇଡି, ୨ଟି ଡିଟୋନେଟର, ବିଦ୍ୟୁତ ତାର, ଲ୍ୟାଣ୍ଡମାଇନ ତିଆରି କରିବା ସାମଗ୍ରୀ ରହିଥିଲା। ପୁଲିସ ଟିମ ଉକ୍ତ ଅଞ୍ଚଳରେ ନିର୍ବାଚନ ଶାନ୍ତିଶୃଙ୍ଖଳା କରାଇବା ପାଇଁ ଅପେରସନକୁ ଯାଇଥିବା ବେଳେ ସୂଚନା ପାଇ ସୁରକ୍ଷାକର୍ମୀ ମାଟିତଳୁ ଏହି ସାମଗ୍ରୀ ପାଇଥିବା ଜଣାଯାଇଛି। ଏବେବି ସେହି ଅଞ୍ଚଳରେ ଅପରେସନ ଜାରି ରହିଛି। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତା ୨୪ ତାରିଖରେ ସ୍ବାଭିମାନ ଅଞ୍ଚଳରେ ନିର୍ବାଚନକୁ ସ୍ଵଚ୍ଛ ଓ ନିରପେକ୍ଷ କରିବା ଲାଗି ପୁଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଉଥିବା ନେଇ ମାଲକାନଗିରି ଏସପି କହିଛନ୍ତି।