ସ୍ୱର୍ଗତଃ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୭୧ତମ ବଳିଦାନ ଦିବସ, ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଜେପି ନେତୃବୃନ୍ଦ

0
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୭୧ତମ ବଳିଦାନ ଦିବସ ପାଳନ ଅବସରରେ ବିଜେପି ନେତୃବୃନ୍ଦ ଆଜି ସକାଳେ ଭୁବନେଶ୍ୱର ସ୍ଥିତ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜଗନ୍ନାଥ ପ୍ରଧାନ, ସୁଶାନ୍ତ ମଲ୍ଲିକ, ରଶ୍ମିରଞ୍ଜନ କାନୁନଗୋ, ମନ୍ଦାକିନୀ ପାତ୍ର, ମହିଳାମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦକ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ବିଜେପି ବିଚାରାଧାର ଏବଂ ରାଜନୈତିକ ଆନ୍ଦୋଳନର ପ୍ରଣେତା ହେଉଛନ୍ତି ‘ଭାରତୀୟ ଜନସଂଘ’ର ପ୍ରତିଷ୍ଠାତା ସଭାପତି ଡ.ଶ୍ୟାମାପ୍ରସାଦ ମୁଖାର୍ଜୀ । ୧୯୫୧ ମସିହାରେ ଡ.ମୁଖାର୍ଜୀଙ୍କ ନେତୃତ୍ୱରେ ପ୍ରତିଷ୍ଠିତ ‘ଭାରତୀୟ ଜନସଂଘ’, ପରବର୍ତୀ ସମୟରେ ‘ଭାରତୀୟ ଜନତା ପାର୍ଟୀ’ ଭଳି ବଟ ବୃକ୍ଷର ରୂପ ନେବା ସହିତ ଆଜି ସମଗ୍ର ବିଶ୍ୱରେ ସର୍ବବୃହତ ରାଜନୈତିକ ଦଳ ଭାବେ ପରିଚୟ ସୃଷ୍ଟି କରିଛି । ଦେଶର ବିକାଶ, ସାମାଜିକ ନୀତି, ରାଷ୍ଟ୍ରୀୟ ସୁରକ୍ଷା ନୀତି ଏବଂ ରାଷ୍ଟ୍ରୀୟ ଏକତାକୁ ନେଇ ସଂକଳ୍ପବଦ୍ଧ ଥିବା ସ୍ୱର୍ଗତଃ ମୁଖାର୍ଜୀ ବାସ୍ତବରେ ଦୂରଦ୍ରଷ୍ଟା ଥିଲେ । ସେହି ସମସ୍ତ ନୀତିକୁ ନେଇ ବିଜେପି ଆଜି ଦେଶବାସୀଙ୍କ ସେବା କର୍ଯ୍ୟରେ ନିଜକୁ ସମର୍ପିତ କରିଛି । “ଏକ୍ ଦେଶ୍ ମେଁ ଦୋ ବିଧାନ୍‌, ଦୋ ପ୍ରଧାନ୍ ଔର ଦୋ ନିଶାନ୍ ନହିଁ ଚଲେଙ୍ଗେ” ନୀତିକୁ ଦୃଢତାର ସହ ପ୍ରତିବାଦ କରିଥିବା ସ୍ୱର୍ଗତଃ ମୁଖାର୍ଜୀଙ୍କ ସ୍ୱପ୍ନ ଆଜି ମୋଦି ସରକାରଙ୍କ ଶାସନରେ ପୂରଣ ହୋଇଛି ବୋଲି ରାଜ୍ୟ ବିଜେପି ବାର୍ତାର ସମ୍ପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଛନ୍ତି ।
ଗତ ୨୦୧୯ ମସିହା ଅଗଷ୍ଟ ୫ ତାରିଖ ଦିନ ଧାରା ୩୭୦ ଓ ୩୫ (ଏ) ଉଚ୍ଛେଦ ପରେ କାଶ୍ମୀର ରାଜ୍ୟ ଭାରତ ବର୍ଷର ଅଭିନ୍ନ ଅଙ୍ଗ ଭାବେ ପରିଗଣିତ ହୋଇଛି । କାଶ୍ମୀରଠାରେ ସ୍ୱର୍ଗତଃ ମୁଖାର୍ଜୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଆଜି ମଧ୍ୟ ଦେଶବାସୀଙ୍କ ମନରେ ଥିବା ସନ୍ଦେହ ଦୁରୀଭୁତ ହୋଇନାହିଁ । ସ୍ୱର୍ଗତଃ ମୁଖାର୍ଜୀଙ୍କ ବଳିଦାନ କେବେ ବି ବ୍ୟର୍ଥ ଯିବ ନାହିଁ । ସ୍ୱର୍ଗତଃ ମୁଖାର୍ଜୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଆମେ ସମସ୍ତେ ସଂକଳ୍ପ ନେଇଛୁ ବୋଲି ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ ବଳିଦାନ ଦିବସ ପାଳନ କରାଯାଇଥିଲା । ବିଜେପି ନେତୃବୃନ୍ଦ ଡ.ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ ସାଧାରଣ ସଂପାଦକ  ଗୋଲକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବଳିଦାନ ଦିବସରେ ମୁଖ୍ୟବକ୍ତାଭାବେ ବିଜେପି ବାର୍ତାର ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବରିଷ୍ଠ ନେତା ସଜ୍ଜର୍ନ ଶର୍ମା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଡ.ଶ୍ୟାମାପ୍ରସାଦ ମୁର୍ଖାଜୀଙ୍କ ଜୀବନୀ, ଦର୍ଶନ ଓ ସଂଘର୍ଷ ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.