ଏଣିକି କୃତ୍ରିମ ବର୍ଷା କରେଇବ ଆଇଆଇଟି କାନପୁର

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏଣିକି କୃତ୍ରିମ ବର୍ଷା କରେଇବ ଆଇଆଇଟି କାନପୁର । ଉତ୍ତରପ୍ରଦେଶର ଆଇଆଇଟି କାନପୁର ଦୀର୍ଘ ସମୟ ଧରି କ୍ଲାଉଡ ସିଡିଂ ଜରିଆରେ କୃତ୍ରିମ ବର୍ଷା ସୃଷ୍ଟି କରିବାରେ ଗବେଷଣା କରି ଆସୁଥିଲା। ବର୍ତ୍ତମାନ ଏହି ଗବେଷଣାରେ ଆଇଆଇଟି କାନପୁର ସଫଳତା ହାସଲ କରିଛି। ବିମାନ ସାହାଯ୍ୟରେ ପ୍ରାୟ ପାଞ୍ଚ ହଜାର ଫୁଟ ଉଚ୍ଚରେ ବାୟୁରେ ରାସାୟନିକ ବିସ୍ଫୋରଣ କରାଯାଇଥିଲା। ଏହା ପରେ ବର୍ଷା ହୋଇଥିଲା। ଡିଜିସିଏଙ୍କ ଅନୁମତି ପରେ ଏହି ପରୀକ୍ଷଣ କରାଯାଇଥିଲା ବୋଲି ଆଇଆଇଟି ଅଧିକାରୀ କହିଛନ୍ତି। ଏହି ସମଗ୍ର ପରୀକ୍ଷା ଦାୟିତ୍ୱରେ ଥିଲେ ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ। ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ କରୋନା ଯୋଗୁଁ ଏହି ପରୀକ୍ଷଣରେ କିଛି ସମୟ ଲାଗିଥିଲା। କିଛି ଯନ୍ତ୍ରପାତି ଆମେରିକାରୁ ଆଣିବାକୁ ପଡିଥିଲା, ଯାହା ପ୍ରାୟ ଦୁଇ ବର୍ଷ ସମୟ ନେଇଥିଲା। ଏହା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ଙ୍କର ମଧ୍ୟ ଅନୁମତି ନେବାକୁ ପଡିଥିଲା। ଡିଜିସିଏଙ୍କ ଅନୁମତି ପରେ ଏହାକୁ ସଫଳତାର ସହ ପରୀକ୍ଷା କରାଯାଇଛି ବୋଲି ପ୍ରଫେସର ଅଗ୍ରୱାଲ କହିଛନ୍ତି। ଆଇଆଇଟି କାନପୁର ୨୦୧୭ ଠାରୁ ଏହି ପ୍ରକଳ୍ପରେ କାମ କରୁଛି।

ଉତ୍ତରପ୍ରଦେଶ ସରକାର ୨୦୧୮ ରେ କ୍ଲାଉଡ୍ ସିଡିଂ ପରୀକ୍ଷା ପାଇଁ ଅନୁମତି ଦେଇଥିଲେ, କିନ୍ତୁ ଆମେରିକାରେ କିଛି ଯନ୍ତ୍ରପାତି ଫସି ରହିଥିବାରୁ ଏହି ପରୀକ୍ଷା ଅଟକି ଯାଇଥିଲା। ପ୍ରଫେସର ଅଗ୍ରୱାଲ କହିଛନ୍ତି ଯେ ଏହି କୌଶଳ ବ୍ୟବହାର କରି ବାୟୁ ପ୍ରଦୂଷଣ ଏବଂ ମରୁଡ଼ି ପରିସ୍ଥିତିରେ ଲୋକଙ୍କୁ ବର୍ଷା କରାଯାଇ ଆରାମ ଦେଇପାରିବ। ସେ ଆହୁରି କହିଛନ୍ତି ଯେ ଦିଲ୍ଲୀ-ମୁମ୍ବାଇ ପରି ମେଟ୍ରୋ ସହରରେ ଲୋକମାନେ ବାୟୁ ପ୍ରଦୂଷଣରୁ ଶୀଘ୍ର ମୁକ୍ତି ପାଇପାରିବେ। କୁହାଯାଇଛି ଯେ ଆଇଆଇଟି କାନପୁର ଏୟାରଷ୍ଟ୍ରିପରୁ ଉଡ଼ୁଥିବା ବିମାନ ମାଧ୍ୟମରେ ମେଘ ମଝିରେ ଏକ ସ୍ୱତନ୍ତ୍ର ରାସାୟନିକ ବିସ୍ଫୋରଣ ହୋଇଥିଲା, ଏହା ପରେ କ୍ଲାଉଡ ସିଡିଂ ଦ୍ୱାରା ବର୍ଷା ହୋଇଥିଲା।

Leave A Reply

Your email address will not be published.