ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଅତିରିକ୍ତ ଦୌରା ଜଜ୍ (୧)କୋର୍ଟରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି।
ହତ୍ୟାକାରୀ ଜଣକ ହେଲେ ଝାରପୋଖରିଆ ଥାନା ଅନ୍ତର୍ଗତ ନେଡାଭାଡ଼ି ଗ୍ରାମର ରାଜେଶ ମହାନ୍ତ ଓରଫ ପଥର(୩୬)।ସୂଚନାଯୋଗ୍ୟ, ଗତ ୨୫/୦୨/୨୦୨୩ରେ ସ୍ଥାନୀୟ ଅଞ୍ଚଳର ଅନୀଲ କୁମାର ମହାନ୍ତଙ୍କ ସହ ରାଜେଶ ମହାନ୍ତଙ୍କ କୋଣସି କାରଣ ପାଇଁ ଝଗଡା ହୋଇଥିଲା। ଯାହାକୁ କେନ୍ଦ୍ର ରାଜେଶ ଉତକ୍ଷିପ୍ତ ହୋଇ କଟୁରିରେ ତାଙ୍କୁ ନିର୍ମମ ଭାବେ ହାଣିଥିଲା। ଯାହା ଫଳରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହେବାରୁ ପ୍ରଥମେ ସ୍ଥାନୀୟ ଶୀର୍ଷା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ପିଆରଏମ ହସ୍ପିଟାଲକୁ ସ୍ଥାନାତ୍ୱରିତ କରାଯାଇଥିଲା।
ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହାକୁ ନେଇ ପୁଅ ବିକାଶ ରଞ୍ଜନ ମହାନ୍ତ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେଶ ନମ୍ବର ୭୧/୨୦୨୩ରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ନାତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୬ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।