ହତ୍ୟାକାରୀ ନାତିକୁ ଆଜୀବନ କାରାଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଅତିରିକ୍ତ ଦୌରା ଜଜ୍‌ (୧)କୋର୍ଟରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ପାରିବାରିକ କଳହରୁ ଜେଜେମା ହତ୍ୟାକାରୀ ନାତିକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ମାସର କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି।

ଜଣକ ହେଲେ କୁଳିଅଣା ଥାନା ଅନ୍ତର୍ଗତ ବାଉଁଶଖଣ୍ଟିଆ ଗ୍ରାମର ଲକ୍ଷ୍ମଣ ଟୁଡୁ(୨୮)। ସୂଚନାଯୋଗ୍ୟ, ଲକ୍ଷ୍ମଣ ଓ ତାଙ୍କ ଜେଜେ ମା ସୋମବାରୀ ହେମ୍ବ୍ରମ ସହିତ ପୂର୍ବରୁ ପାରିବାରିକ କଳହ ଲାଗି ରହିଥିଲା। ଯାହାକୁ କେନ୍ଦ୍ର କରି ଝଗଡା ଗଣ୍ଡଗୋଳ ମଧ୍ୟ ବାରମ୍ବାର ହେଉଥିଲା। ଗତ ୧୯/୧୧/୨୦୨୧ରେ ଦିନ ପ୍ରାୟ ୧୨:୩୦ ସମୟରେ ପାରିବାରିକ ଝଗଡା ଉଗ୍ର ରୂପ ନେଇଥିଲା। ଝଗଡାରେ କଥା କଟାକଟିକୁ ନେଇ ଲକ୍ଷ୍ମଣ ଉତକ୍ଷିପ୍ତ ହୋଇ ତାଙ୍କ ଜେଜେ ମା ସୋମବାରୀକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଦା ଓ କଟୁରିରେ ଜେଜେ ମାକୁ ହାଣି ଶରୀରରୁ ମୁଣ୍ଡକୁ ଅଲଗା କରି ଦେଇଥିଲା। ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏଥି ସହିତ ମାରଣାସ୍ତ୍ର ଧରି ଗାଁ ରାସ୍ତାରେ ବୁଲୁଥିବାର ଗାଁ ଲୋକେ ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ।

ସମ୍ପର୍କୀୟ ରୁପାୟ ସୋରେନ ଏନେଇ ସ୍ଥାନୀୟ କୁଳିଅଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେଶ ନମ୍ବର ୧୪୯/୨୦୨୧ରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ନାତିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୫୪ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ।

Leave A Reply

Your email address will not be published.