ନୀତିରେ ବିଭ୍ରାଟ, ଉପାସ ରହିଲେ ବାଣ୍ଠିଆ ଜଗନ୍ନାଥ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ସାନ ଜଗନ୍ନାଥ ତଥା ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ନୀତିକ୍ରାନ୍ତିରେ ବିଭ୍ରାଟ ଦେଖିବାକୁ ମିଳିଛି। ଯାହାକୁ ନେଇ ମନ୍ଦିରରେ ଦିଅଁ ଉପାସ ରହିଲେ। ଦେବତ୍ୱର ବିଭାଗର ଖାମଖିଆଳି ନୀତି ପାଇଁ ମଙ୍ଗଳବାର ମନ୍ଦିରରେ ରୋଷେଇ ସାମଗ୍ରୀ ନଥିବାରୁ ଭୋଗ ପ୍ରସ୍ତୁତ ହୋଇପାରିଲା ନାହିଁ। ମନ୍ଦିରର ସେବାୟତ ମାନେ ଦେବତ୍ୱର ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। ବାଣ୍ଠିଆ ଜଗନ୍ନାଥ ମନ୍ଦିର ଦେବତ୍ୱର ବିଭାଗ ଅଧୀନରେ ଆସୁଥିବା ବେଳେ ବାରିପଦା ଦେବତ୍ୱର ବିଭାଗ ଏହାର ପରିଚାଳନା କରୁଛନ୍ତି। ଦେବତ୍ୱର ବିଭାଗର ସମ୍ପତ୍ତିରୁ ଅନେକ ଟଙ୍କା ଖଜଣା ମିଳୁଛି। କିନ୍ତୁ ବିଭାଗ ପକ୍ଷରୁ ମନ୍ଦିର ପ୍ରତି ତାଙ୍କର ଦୃଷ୍ଟି ପଡୁନାହିଁ। ଦେବତ୍ୱର ବିଭାଗର ଖାମଖିଆଳି ନୀତି ପାଇଁ ଅବହେଳିତ ଅବସ୍ଥାରେ ବାଣ୍ଠିଆ ଜଗନ୍ନାଥ ହୋଇ ରହିଛି ବୋଲି ସେବାୟତ ମାନେ ଅଭିଯୋଗ କରିଛନ୍ତି।

ମନ୍ଦିରରେ ଠାକୁରଙ୍କ ଭୋଗ ନିମନ୍ତେ ଦେବତ୍ୱର ବିଭାଗ ପକ୍ଷରୁ ଏକ ତେଜରାତି ଦୋକାନକୁ ରୋଷେଇ ସାମଗ୍ରୀ ଦେବାକୁ ଟେଣ୍ଡର ପ୍ରଦାନ କରାଯାଇଛି। ପ୍ରତିଦିନ ଉକ୍ତ ଦୋକାନରୁ ସାମଗ୍ରୀ ଆସି ରୋଷେଇ ହୋଇ ଦିଅଁଙ୍କୁ ଭୋଗ ଲାଗି ହୋଇଥାଏ। କିନ୍ତୁ ଦୋକାନରୁ ସାମଗ୍ରୀ ଆସୁଥିବା ବେଳେ ଦେବତ୍ୱର ବିଭାଗ ପକ୍ଷରୁ ସଉଦା ଟଙ୍କା ପ୍ରଦାନ କରାଯାଉନାହିଁ। ବହୁ ଦିନ ହେବ ସଉଦା ଟଙ୍କା ବକେୟା ରହିଥିବାରୁ ମଙ୍ଗଳବାର ସେବାୟତଙ୍କୁ ଉକ୍ତ ଦୋକାନୀ ରୋଷେଇ ସାମଗ୍ରୀ ପ୍ରଦାନ କରିନଥିଲେ। ଯାହାକୁ ନେଇ ଦେବତ୍ୱର ବିଭାଗକୁ ଜଣାଇଥିଲେ ମଧ୍ୟ କଥାକୁ ଗୁରୁତ୍ୱର ଦେଇନଥିଲେ। ଯାହାକୁ ନେଇ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଦିଅଁ ଉପାସ ରହିଥିଲେ। ପୂର୍ବରୁ ଥିବା ସମସ୍ତ ସଉଦା ସୋମବାର ରାତିରୁ ଶେଷ ହୋଇ ଯାଇଥିବା ବେଳେ ମଙ୍ଗଳବାର ରୋଷେଇ ପାଇଁ କିଛି ସାମଗ୍ରୀ ନଥିଲା।

ଏନେଇ ମନ୍ଦିରରେ ସକାଳୁ ଅବକାଶ ନୀତି, ଚୁଡା ଭୋଗ, କାଠି ମୋହନ ଭୋଗ, ଖେଚଡ଼ି ଭୋଗ, ମଧ୍ୟାହ୍ନ ଭୋଗ ଆଦି ଲାଗି ପାରିନଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଠାକୁର ଉପାସ ରହିଥିଲେ। ଏନେଇ ଗଣମାଧ୍ୟମକୁ ଖବର ମିଳିବା ପରେ ମନ୍ଦିରରେ ପହଁଚିବାରୁ ଦେବତ୍ୱର ବିଭାଗ ପକ୍ଷରୁ ମୁଚିଆ ମୁଚିରାମ ବେହେରା କିଛି ସାମଗ୍ରୀ ପହଁଚାଇଥିଲେ। ଭୋଗ ପ୍ରସ୍ତୁତ ହୋଇ ଅପରାହ୍ନ ୪:୫୦ରେ ଭୋଗ ଲାଗି ହୋଇଥିଲା। ତେବେ ପ୍ରଶାସନିକ ଅବହେଳା ପାଇଁ ସକାଳୁ ଠାକୁର ଦିନସାରା ଉପାସ ରହିଥିଲେ। ଏହିପରି ଭାବେ ବାରମ୍ବାର ଦେବତ୍ୱର ବିଭାଗର ଅବହେଳା ପାଇଁ ନୀତିକ୍ରାନ୍ତିରେ ବିଭ୍ରାଟ ହେଉଛି ବୋଲି ସେବାୟତ ମାନେ ଅଭିଯୋଗ କରିଛନ୍ତି। ଏନେଇ ବାରିପଦା ଉପ ଜିଲ୍ଲାପାଳ ତଥା ଦେବତ୍ୱର ବିଭାଗ ଅଧିକାରୀ ଈଶ୍ୱର ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ସେ ଘଟଣା ବାବଦରେ ଅବଗତ ନଥିବା କହିଥିଲେ। ଘଟଣା ସମ୍ପର୍କରେ ଅବଗତ ହୋଇ ସମସ୍ୟାର ସମାଧାନ ନେଇ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି।

Leave A Reply

Your email address will not be published.