ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରିପଦା ସହରରେ ଥିବା ନାଳ ଓ ମହାନାଳ ଜବରଦଖଲ ଓ ଗଛଲତାରେ ପୋତି ହେଇଗଲାଣି। ବର୍ଷା ଜଳ ନିଷ୍କାସନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରବାହିତ ନଦୀ ଶଯ୍ୟା ଗୁଡିକର ପୁନରୁଦ୍ଧାର ଆବଶ୍ୟକତା ରହିଛି। ଏନେଇ ମଙ୍ଗଳବାର ମଧୁବନ ଅଞ୍ଚଳର ବରିଷ୍ଠ ନାଗରିକ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବାରିପଦା ସହରରେ ଜରାଳୀ, ସରାଳୀ, ଶୁକଯୋଡି ଓ ଚିପଟ ଭଳି ଛୋଟ ନଦୀ ଗୁଡିକ ମହାନାଳ ହୋଇ ମାନ ପ୍ରବାହିତ ହେଉଛି। ସମସ୍ତ ନଦୀ ବୁଢାବଳଙ୍ଗ ନଦୀରେ ମିଶିଛନ୍ତି।
ତେବେ ନଦୀଶଯ୍ୟା ଗୁଡିକରେ ବାଲି ପୋତି ହୋଇ ଗଛଲତା ଉଠିବା ଓ କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଜବରଦଖଲ କରି ନଦୀ ଶଯ୍ୟା ପୋତୁଥିବାରୁ ତାହା ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଫଳରେ ବର୍ଷା ଦିନେ ନଦୀର ଜଳପତନ ବୃଦ୍ଧି ପାଇବା ଯୋଗୁଁ ଉଭୟ ପାଶ୍ୱରେ ବସବାସ କରୁଥିବା ଲୋକଙ୍କ ଘର ଗୁଡିକରେ ବନ୍ୟାଜଳ ପ୍ରବେଶ କରୁଛି। ଯାହାକୁ ନେଇ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଅନେକ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏମିତି କି ବର୍ଷା ଦିନେ ଜଳ ନିଷ୍କାସନ ହେବାରେ ବିଳମ୍ବ ହେଉଥିବାରୁ ସହରରେ ପୋଖରୀ ଓ ନଦୀର ଭ୍ରମ ସୃଷ୍ଟି କରୁଛି। ଫଳରେ ଗମନାଗମନରେ ବାଧା ଉପୁଜୁଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି।
ଦୀର୍ଘ ଦିନ ଧରି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହୋଇ ଜୀବନ ଯାପନ କରୁଛନ୍ତି। ତେବେ ବନ୍ୟା ଦାଉରୁ ସୁରକ୍ଷା ଯୋଗାଇବା ପାଇଁ ବିଭାଗ ପକ୍ଷରୁ ନଦଶଯ୍ୟା ଗୁଡିକ ଖୋଳି ଗଭୀର କରିବା ସହ ପ୍ରଶସ୍ତ କରାଯାଇ ଆଡିବନ୍ଧ ନିର୍ମାଣ କରିବାକୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି। ଖୁବଶୀଘ୍ର ନଦୀରେ ଆଡିବନ୍ଧ ନିର୍ମାଣ କରିବ ସହ ପୁନରୁଦ୍ଧାର କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।