ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ (୧) କୋର୍ଟରେ ଶନିବାର ପତ୍ନୀକୁ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ସତ୍ୟ ନାରାୟଣ ପାତ୍ର ଏହାର ବିଚାର କରି ପତ୍ନୀହନ୍ତା ସ୍ୱାମୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ୫୦ ହଜାର ଜରିମାନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗର ମୂର୍ସିଦାବାଦ ଜିଲ୍ଲାର ସାଗରଦିଘି ଥାନା ଅଞ୍ଚଳର ସେକ ସମ୍ରାଟ(୨୫)।

ଅଭିଯୋଗ ଅନୁଯାୟୀ, ଗତ ୨୦୨୧ମସିହାରେ କେନ୍ଦୁଖାଲ ପୋଲ ନିକଟରେ ଏକ ଅଜଣା ମହିଳାଙ୍କ ମୃତଦେହ ପଡିଥିବାର ନେଇ ବେତନଟୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରି ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏଥିପରେ ପରିଚୟ ନିମନ୍ତେ ତଦନ୍ତ କରିବାରୁ ତାହା ସେକ ସମ୍ରାଟଙ୍କ ପତ୍ନୀ ଚୁମକି ଖାତୁନ ବୋଲି ଜଣା ପଡିଥିଲା। ଏଥିପରେ ଖୋଜାଖୋଜି କରି ସେକ ସମ୍ରାଟଙ୍କୁ ଥାନାକୁ ଆଣି ପୁଲିସ ପଚରା ଉଚରା କରିଥିଲା। ସେକ ସମ୍ରାଟ ସହିତ ଚୁମକି ଖାତୁନଙ୍କ ୨୦୨୦ମସିହାରେ ବିବାହ ହୋଇଥିଲା। ସମ୍ରାଟ କାମ କରିବା ପାଇଁ ବାରିପଦାର ସୁନଗଡ଼ିଆ ଠାରେ ଭଡା ସୂତ୍ରରେ ରହୁଥିଲେ। ସେଠାରେ ଆଜମାତୁନ ନେସା ନାମକ ଝିଅ ସହିତ ଅବୈଧ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ସମ୍ରାଟ ପୂର୍ବ ବିବାହ କଥା ନଜଣାଇ ଆଜମାତୁନ ନେସାକୁ ବିବାହ କରୁଥିବାର ଖବର ପ୍ରଥମ ପତ୍ନୀ ଚୁମକି ଖାତୁନଙ୍କ ନିକଟରେ ପହଁଚିଥିଲା। ଯାହାକୁ ନେଇ ସେ ବାରିପଦା ଆସି ଘଟଣା ବାବଦରେ ଜଣାଇବା ବାହାଘର ଭାଙ୍ଗିଥିଲେ।

ଏଥି ସହିତ ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗର ଆପୋଷ ସମାଧାନରେ ଫଇସଲା ହୋଇଥିଲା। ଏଥିପରେ ପତ୍ନୀ ଚୁମକି ଖାତୁନକୁ ବାଟରୁ ହଟାଇବା ପାଇଁ ସେକ ସମ୍ରାଟ ମନସ୍ଥ କରିଥିଲେ। ଏଥିପରେ ସେ ସୁଯୋଗ ପାଇ ତାଙ୍କୁ ହତ୍ୟା କରି ପୋଲ ନିକଟରେ ପକାଇ ଫେରାର ହୋଇ ଯାଇଥିଲେ। ତଦନ୍ତ ସମୟରେ ଘଟଣା ବାବଦରେ ସେ ସ୍ୱୀକାର ମଧ କରିଥିଲେ। ଏହାକୁ ନେଇ ବେତନଟୀ ଥାନାରେ ଲିଖିତ ଅଭିଯୋଗକ୍ରମେ କେଶ ନମ୍ବର ୧୭୦/୨୦୨୧ରେ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲେ। ଏଥି ସହିତ ପତ୍ନୀହନ୍ତା ସ୍ୱାମୀକୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲେ। ମାମଲାର ବିଚାର ସମୟରେ ୨୨ଜଣ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଉକ୍ତ ମାମଲାକୁ ଅତିରିକ୍ତ ପି ପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ |

Leave A Reply

Your email address will not be published.