ଲୋକସଭା ନିର୍ବାଚନ ତାରିଖ ଘୋଷଣା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଖେଇ ଆସୁଛି ସାଧାରଣ ନିର୍ବାଚନ – ୨୦୨୪। ଜନତାଙ୍କ ଠାରୁ ଆରମ୍ଭ କରି ନେତାମାନଙ୍କ ମନରେ ରହିଛି ଉତ୍ସାହ। ଉଭୟ ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ରହିଛନ୍ତି ସମସ୍ତ ରାଜନୈତିକ ଦଳ। ଏହାରି ମଧ୍ୟରେ ଏକ ଚିଠି ବେଶ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ନିର୍ବାଚନ କମିଶନ (Election Commission Of India) ।

ଭାଇରାଲ ହେଉଥିବା ଚିଠିରେ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି, ନିର୍ବାଚନ ତାରିଖ, ଭୋଟ ଗଣତି ତାରିଖ ଏବଂ ସରକାର ଗଠନ ତାରିଖ ଲେଖାଯାଇଛି । ହ୍ବାଟ୍ସଆପ୍‌ରୁ ହ୍ବାଟ୍ସଆପ୍‌କୁ ଘୂରିବୁଲୁଛି ଏହି ଚିଠି । ଭାଇରାଲ ହେଉଥିବା ଚିଠିରେ ଲେଖାଯାଇଛି କି, ୨୦୨୪ ମାର୍ଚ୍ଚ ୧୨ ତାରିଖରେ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନିର୍ବାଚନ ଆଚରଣ ବିଧି ଲାଗୁ କରାଯିବ । ଏହା ପରେ ମାର୍ଚ୍ଚ ୨୮ରେ ନୋମିନେସନ୍, ଏପ୍ରିଲ ୧୯ ତାରିଖରେ ମତଦାନ, ମେ ୨୨ ତାରିଖରେ ଭୋଟ ଗଣତି ଏବଂ ମେ ୩୦ ତାରିଖରେ ନୂତନ ସରକାର ଗଠନ ହେବ । ତେବେ ଏହା ପଛରେ କେତେ ସତ୍ୟତା ରହିଛି? ଏ ନେଇ ସ୍ପଷ୍ଟିକରଣ ରଖିଛି ECI । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏହି ଚିଠି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଏବଂ ଫେକ୍‌ ବୋଲି କୁହାଯାଇଛି । ECI କହିଛନ୍ତି ଏଭଳି କୌଣସି ଚିଠି ଜାରି କରାଯାଇ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଫେକ୍‌ ଲେଟର୍ । ନିର୍ବାଚନକୁ ନେଇ ECI ପକ୍ଷରୁ ସ୍ବତନ୍ତ୍ର ଭାବେ ପ୍ରେସମିଟ୍‌ କରି ଜଣାଯିବ ।

ଏଭଳି ଚିଠିକୁ ବିଶ୍ବାସ କରନ୍ତୁ ନାହିଁ । ବଡ କଥା ହେଉଛି ଏଭଳି ଫେକ୍‌ ଚିଠି କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଭାଇରାଲ କରାଗଲା? ECI ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ଦୋଷୀକୁ ଧରାଯାଇ ନାହିଁ । କିଏ ଏଭଳି ଚିଠି ଭାଇରାଲ କରିଛି ସେ ନେଇ ତଦନ୍ତ ଆରମ୍ଭ କରାଯିବ । ତେବେ ଲୋକସଭା ନିର୍ବାଚନକୁ ନେଇ ମାର୍ଚ୍ଚ ୧୩ ତାରିଖ ପରେ ECI ପକ୍ଷରୁ ଘୋଷଣା କରାଯିବ ବୋଲି ଅନୁମାନ କରାଯାଉଛି । ଏବେ ନିର୍ବାଚନ କମିଶନଙ୍କ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରି ସ୍ଥିତି ଏବଂ ଆବଶ୍ୟକତା ବାବଦରେ ଯାଞ୍ଚ କରୁଛନ୍ତି । ଏହା ସହିତ ସମ୍ବେଦନଶୀଳ ରାଜ୍ୟଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ଦିଗରେ ପଦକ୍ଷେପ ନେଉଛନ୍ତି । ଆଉ ଏହା ମାର୍ଚ୍ଚ ୧୩ ତାରିଖରେ ଶେଷ ହେବ । ଆଉ ୧୩ ତାରିଖ ପରେ ହିଁ ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ଭାରତୀୟ ନିର୍ବାଚନ କମିଶନ ।

Leave A Reply

Your email address will not be published.