ଓଟିଏମ ପୁନରୁଦ୍ଧାର ମାମଲାରେ ଅଫିସିଆଲ ଲିକୁଡେଟର ହାଇକୋର୍ଟରେ ସତ୍ୟପାଠ କଲେ ଦାଖଲ, ୧୦୦୨ ଜଣ ପ୍ରାକ୍ତନ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇଛି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାଇକୋର୍ଟରେ ଓ ଟି ଏମ ପୁନରୁଦ୍ଧାର ମାମଲାରେ ଅଫିସିଆଲ ଲିକୁଡେଟର ସତ୍ୟପାଠ ଦାଖଲ କରି ୧୦୦୨ ଜଣ ପ୍ରାକ୍ତନ କର୍ମଚାରୀଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯାଇଥିବା ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି।ଏହା ସହିତ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ, ଦୁର୍ଭାଗ୍ୟ ବଶତଃ ୪୦୦ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇସାରିଛି ଏବଂ ୧୦୨୬ ଜଣ ପ୍ରାକ୍ତନ କର୍ମଚାରୀଙ୍କ ଠିକଣା ମିଳି ପାରିନାହିଁ। ଓଟିଏମରେ ମୋଟ ୩୦୨୩ ଜଣ କର୍ମଚାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦୦ ଜଣଙ୍କୁ ନୋଟିସ କରାଯାଇଥିଲା। ସେଥିରୁ ୧୬୦୦ ଜଣ ନୋଟିସର ଜବାବ ରଖିଛନ୍ତି। ଠିକଣା ମିଳୁ ନ ଥିବା କର୍ମଚାରୀଙ୍କୁ ଯୋଗାଯୋଗ ପାଇଁ କଣ ବ୍ୟବସ୍ଥା କରିହେବ, ସେ ସମ୍ପର୍କରେ ଜଣାଇବାକୁ ଅଫିସିଆଲ ଲିକ୍ଯୁଡେଟରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଯେଉଁମାନେ ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ଉପଯୁକ୍ତ ଲିଗାଲ ହେୟାର ଓ ସକସେସର ପ୍ରମାଣ ପତ୍ର ରଖି ୩ ସପ୍ତାହ ମଧ୍ୟରେ ପ୍ରାପ୍ୟ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିବା ବେଳେ ଆସନ୍ତା ଫେବୃଆରୀ ୧୭ ତାରିଖରେ ମାମଲାର ପରବର୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଓଟିଏମକୁ ରାଜ୍ୟ ସରକାର ନିଜ ଦଖଲକୁ ନେଇଛନ୍ତି। ଓଟିଏମକୁ ନେବା ପାଇଁ ଅଫିସିଆଲ ଲିକୁଡେଟରଙ୍କ ନିକଟରେ ରାଜ୍ୟ ସରକାର ୧୧୫ କୋଟି ଦାଖଲ କରିଥିବା ପୂର୍ବରୁ ହାଇକୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ କରାଯାଇ ଥିଲା। ରାଜ୍ୟ ସରକାର ପୂର୍ବରୁ ୩୦ କୋଟି ଓ ଇଡ଼କୋ ପକ୍ଷରୁ ୫ କୋଟି ଏମିତି ୩୫ କୋଟି ମଧ୍ୟ ଦାଖଲ କରିଥିଲେ। ନଭେମ୍ବର ୧୩ ତାରିଖରେ ୧୧୫ କୋଟି ଟଙ୍କା ଅଫିସିଆଲ ଲିକୁଡେଟରଙ୍କ ପାଖରେ ଦାଖଲ ହୋଇଥିବା ବେଳେ ଏହି ଟଙ୍କା ଫିକ୍ସ ଡିପୋଜିଟ ଆକାରରେ ରଖାଯାଇଛି। ଏ ସମ୍ପର୍କରେ ପୂର୍ବରୁ ଅଫିସିଆଲ ଲିକୁଡେଟରଙ୍କ ପକ୍ଷରୁ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ ହୋଇଥିଲା। ଶ୍ରମିକଙ୍କ ପ୍ରାପ୍ୟ ଏବଂ ଦେୟ ସମ୍ପର୍କରେ ରାଜ୍ୟ ସରକାର ଅତିରିକ୍ତ ୧୧୫ କୋଟି ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାର ପୁଣି ଏହି ୧୧୫ କୋଟି ଟଙ୍କା ଡିପୋଜିଟ କରିଥିଲେ। ଓଟିଏମକୁ ରାଜ୍ୟସରକାର ଟେକଓଭର କରନ୍ତୁ ବୋଲି ଆବେଦନକାରୀ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ।

Leave A Reply

Your email address will not be published.