ଓଡ଼ିଆ ନ୍ୟୁଜ୍: ବଢ଼ୁଛି ଲୋୟର ସୁକତେଲ୍ ଜଳସ୍ତର। ଉପରମୁଣ୍ଡରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁଁ ବଲାଙ୍ଗୀର ଜିଲ୍ଲାର ପ୍ରମୁଖ ଲୋୟର ସୁକତେଲ ଡ୍ୟାମ୍ର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଜଳଭଣ୍ଡାରର ଜଳସ୍ତର ୨୦୦ ମିଟର ଅତିକ୍ରମ କରିବା ସହ ବିପଦ ସଙ୍କେତ ଆଡ଼କୁ ଗତି କରିବାରୁ ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ଆଜି ଅପରାହ୍ନ ପ୍ରାୟ ୧:୪୦ ମିନିଟରେ ସୁକତେଲ ପ୍ରକଳ୍ପର ମୁଖ୍ୟ ଯନ୍ତ୍ରୀ ଇଂ ସୁରେନ୍ଦ୍ର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା।
ଏହାପରେ ପ୍ରଥମେ ସାଇରନ୍ ବଜାଯାଇ ତଳିଆ ଅଞ୍ଚଳବାସୀଙ୍କୁ ସତର୍କ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଡ୍ୟାମ୍ର ୪ଟି କ୍ରେଷ୍ଟ ଗେଟ୍ ଦେଇ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି। ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ସୂଚନା ଅନୁସାରେ, ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୫୦୦ କ୍ୟୁମେକ୍ସ ବନ୍ୟାଜଳ ପ୍ରବେଶ କରୁଛି। ଜଳସ୍ତର ଅଧିକ ବଢ଼ୁଥିବାରୁ ସ୍ଥିତିକୁ ଦୃଷ୍ଟିରେ ରଖି ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯାଇ ପାଣି ଛଡ଼ାଯାଉଛି ଅନ୍ୟପଟେ ଡ୍ୟାମରେ ପାଣି ଭରିଯିବା ଫଳରେ ବିସ୍ଥାପିତ ଗାଁ ‘କୁମିଆପାଲି’ ପ୍ରତି ବିପଦ ବଢ଼ିଯାଇଛି। ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଥିବା ବେଳେ ଅନେକ ଘର ଭିତରେ ବନ୍ୟାପାଣି ପଶିଯାଇଛି। କେତେକ ପରିବାର ନିଜ ଜୀବନ ବଞ୍ଚାଇବା ପାଇଁ ଘର ଛାତ ଉପରେ ଆଶ୍ରୟ ନେଇ ବସିଛନ୍ତି। ବିସ୍ଥାପିତଙ୍କ ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ବ୍ୟବସ୍ଥା ଓ ସମାଧାନ କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ଦାବି କରାଯାଉଛି। କିନ୍ତୁ ହଠାତ୍ ପାଣି ମାଡ଼ିଆସିବା ଓ ଗାଁ ଜଳବନ୍ଦୀ ହୋଇଯିବା ଯୋଗୁଁ ବିସ୍ଥାପିତ ପରିବାରଗୁଡ଼ିକ ମଧ୍ୟରେ ଅସନ୍ତୋଷ ଓ ଆଶଙ୍କା ପ୍ରକାଶ ପାଇଛି।