ମହାପ୍ରଭୁଙ୍କ ଉପରେ ଅଭିମାନ କରି ଆଜି ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ

0

ଓଡ଼ିଆ ନ୍ୟୁଜ୍: ମହାପ୍ରଭୁଙ୍କ ଉପରେ ଅଭିମାନ କରି ଆଜି ରଥ ଭାଙ୍ଗିବେ ମା’ ଲକ୍ଷ୍ମୀ। ବଡ଼ଦେଉଳ ଛାଡ଼ି ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ନବଦିନାତ୍ମକ ଯାତ୍ରାରେ ଗୁଣ୍ଡିଚା ମନ୍ଦିରରେ। ବଡ଼ଭାଇ ଓ ଭଉଣୀଙ୍କ ସହ ସେ ଆଡ଼ପ ମଣ୍ଡପରେ ପୂଜା ପାଉଛନ୍ତି। ଏଣେ ସ୍ୱାମୀଙ୍କୁ ନପାଇ ଶ୍ରୀମନ୍ଦିରରେ ଚିନ୍ତାରେ ଅଛନ୍ତି ଅଭିମାନିନୀ ମା’ ଲକ୍ଷ୍ମୀ ଠାକୁରାଣୀ। ପତିଙ୍କ ବିରହ ବେଦନା ସହି ନପାରି ଶେଷରେ ଦେବୀ ବିମଳାଙ୍କ ପରାମର୍ଶ କ୍ରମେ ମା’ ଲକ୍ଷ୍ମୀ ସ୍ୱାମୀଙ୍କୁ ଦେଖା କରିବାକୁ ଆଜି ରାତିରେ ଗୁଣ୍ଡିଚା ମନ୍ଦିରକୁ ଏକ ଗୋପନ ଯାତ୍ରାରେ ବାହାରିବେ।

ବିଧି ଅନୁଯାୟୀ, ଶ୍ରୀଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ଧୂପ ନୀତି ସରିବା ପରେ ମା’ ଲକ୍ଷ୍ମୀ ମଣି ବିମାନରେ ବିଜେ କରି ଶରଧାବାଲି ରଥ ନିକଟରେ ପହଞ୍ଚିବେ। ନିଜକୁ ଉପେକ୍ଷିତ ମନେକରି ରାଗ ଓ ଅଭିମାନରେ ସେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥରୁ ଖଣ୍ଡେ କାଠ ଭାଙ୍ଗି ଦେଇ ଫେରିଆସିବେ। ମାନବୀୟ ଲୀଳା କରୁଥିବା ଠାକୁର ମଧ୍ୟ ନିଜ ସ୍ତ୍ରୀଙ୍କ ରୋଷର ଶିକାର ହୋଇଥାନ୍ତି। ଆଉ ଏହି ଅପୂର୍ବ ଲୀଳା ଦେଖିବା ପାଇଁ ଶ୍ରଦ୍ଧାଳୁମାନେ ବେଶ୍ ଉତ୍ସାହିତ ଥିବା ବେଳେ ବଡ଼ଦାଣ୍ଡରେ ଭିଡ଼ ଜମିଛି। ଗତକାଲି ଆଡ଼ପ ମଣ୍ଡପରେ ଭକ୍ତମାନଙ୍କୁ ପ୍ରଥମ ଦର୍ଶନ ଦେଇଥିଲେ ଚତୁର୍ଦ୍ଧାମୂର୍ତ୍ତି ଏବଂ ରାତ୍ର ସମୟରେ ମହାପ୍ରଭୁଙ୍କ ବନକଲାଗି ନୀତି ମଧ୍ୟ ସମ୍ପନ୍ନ ହୋଇଥିଲା।

ଆଜି ସନ୍ଧ୍ୟା ଧୂପ ଉଠିବା ପରେ ଲକ୍ଷ୍ମୀ ଜୟବିଜୟ ଦ୍ୱାରକୁ ବିଜେ କରିବାର କାର୍ଯ୍ୟକ୍ରମ ରହିଛି। ରୀତିନୀତି ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମା’ଙ୍କ ଆଗମନ ସମୟ ଯେତିକି ପାଖେଇ ଆସୁଛି, ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବ୍ୟାକୁଳତା ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ହେରାପଞ୍ଚମୀ ସରିବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ଆଉ ମାତ୍ର ୩ ଦିନ ବାକି ରହିବ।

Leave A Reply

Your email address will not be published.