ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ସ୍ୱଳ୍ପ ବର୍ଷା ପରିସ୍ଥିତିକୁ ନେଇ ଓଡ଼ିଶା ସରକାର ଜରୁରୀକାଳୀନ ପଦକ୍ଷେପ। ରାଜ୍ୟରେ ଅନେକ ସ୍ଥାନରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି। ଫଳରେ ବାଲିମେଳା, ମାଛକୁଣ୍ଡ ଆଦି ଜଳବିଦ୍ୟୁତ୍ ନଦୀବନ୍ଧରେ ଜଳସ୍ତର କମ୍ ରହିଛି। ଚାଷ ମଧ୍ୟ କମ୍ ହେବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଆଜି (ସୋମବାର) ରାଜ୍ୟ ସରକାର ସ୍ବଳ୍ପ ବର୍ଷା ପାଇଁ ଜରୁରୀକାଳୀନ ଯୋଜନା ଓ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ସହ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ରାଜ୍ୟରେ କମ୍ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶକ୍ତି ବିଭାଗ ଅତିରିକ୍ତ ଶାସନ ସଚିବ ବିଶାଳ କୁମାର ଦେବ, ଜଳସମ୍ପଦ ବିଭାଗ ଶାସନ ସଚିବ ଶୁଭା
ଶର୍ମା ଏବଂ କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଜାଧବ, ବିଭାଗୀୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ବାଲିମେଳା ଓ ମାଛକୁଣ୍ଡ ଭଳି ବଡ଼ ବଡ଼ ଜଳାଶୟର କ୍ୟାଚମେଣ୍ଟ ଅଞ୍ଚଳରେ କମ୍ ବର୍ଷା ହୋଇଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଜନସାଧାରଣଙ୍କୁ ଆଦୌ ନଡରିବାକୁ ଆଶ୍ୱାସନା ଦେଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଳାଶୟଗୁଡ଼ିକରେ ଥିବା ପାଣିକୁ ପ୍ରଥମେ ପାନୀୟ ଜଳ ଏବଂ ଚାଷ କାର୍ଯ୍ୟ ପାଇଁ ସଂରକ୍ଷିତ ରଖାଯିବ। ଏହା ପରେ ଯାଇ ବିଦ୍ୟୁତ୍ ଉତ୍ପାଦନ ପାଇଁ ପାଣି ଦିଆଯିବ। ଗତବର୍ଷ ତୁଳନାରେ ଏଥର ଜଳସ୍ତର କମ୍ ଥିବାରୁ କୃଷି ଓ ଜଳସମ୍ପଦ ବିଭାଗ ଏହା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି, ଯେପରି ଖରିଫ ଚାଷରେ କୌଣସି ଅସୁବିଧା ନହୁଏ। ଏଥିପାଇଁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସହ ମଧ୍ୟ ଆଲୋଚନା କରାଯାଇଛି।
ଶ୍ରୀ ସିଂହଦେଓ ସ୍ପଷ୍ଟ କରିଛନ୍ତି ଯେ, ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବାଲିମେଳାରେ ବିଦ୍ୟୁତ ଉତ୍ପାଦନକୁ କିଛି ଦିନ ପାଇଁ ବନ୍ଦ ରଖାଯାଇଛି। କମ୍ ବର୍ଷା ସତ୍ତ୍ୱେ ବିକଳ୍ପ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ ରହିଛି। ତେଣୁ ବିଦ୍ୟୁତ୍ ବା ପାଣି ଅଭାବ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ବ୍ୟାପକ ଆପଦକାଳୀନ ଯୋଜନା ପ୍ରସ୍ତୁତ କରିଛନ୍ତି। ଫସଲକୁ ବଞ୍ଚାଇବା ପାଇଁ କୃଷି, ଶକ୍ତି ଓ ଜଳସମ୍ପଦ ବିଭାଗ ମିଳିତ ଭାବେ କାମ କରୁଛନ୍ତି। ଜଳ-ବିଦ୍ୟୁତ ଉତ୍ପାଦନ କମିଥିବାରୁ ଶକ୍ତି ବିଭାଗ ଗ୍ରିଡକୋ ଏବଂ ଓଏଚପିସି ଜରିଆରେ ବାହାର ଗ୍ରିଡ୍ରୁ ବିଦ୍ୟୁତ ଆଣିବାକୁ ବ୍ୟବସ୍ଥା କରିଛନ୍ତି, ଯାହାଦ୍ୱାରା ଲୋକମାନେ ନିରବଚ୍ଛିନ୍ନ ବିଦ୍ୟୁତ ପାଇପାରିବେ। ସେହିପରି ମାଛକୁଣ୍ଡ ପ୍ରକଳ୍ପର ବୈଷୟିକ ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ସରକାର ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି।