ନିର୍ବାଚନୀ ପ୍ରଚାରରେ ବିଜେପିର ଆସୁଛନ୍ତି ଦଳର ପ୍ରମୁଖ ନେତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ ପର୍ଯ୍ୟାୟ ମତଦାନ ବାକି ଅଛି।  ଏଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ବିଜେପିର ପ୍ରମୁଖ ନେତା ଗ୍ୟାରେଣ୍ଟି ଦେଉଥିବା ବେଳେ ତୁହାକୁ ତୁହା ନିର୍ବାଚନୀ ପ୍ରଚାରରେ ଆସୁଛନ୍ତି ଦଳର ପ୍ରମୁଖ ନେତା। ନିର୍ବାଚନୀ ପ୍ରଚାର ମଧ୍ୟରେ ରାଜ୍ୟ ଗସ୍ତ କରିବାରେ ଲାଗିଛନ୍ତି ଭାରତୀୟ ଜନତା ପାର୍ଟିର ବହୁ କେନ୍ଦ୍ରୀୟ ହେଭିଓ୍ବେଟ । ଭୁବନେଶ୍ବରରେ ପହଞ୍ଚିଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ସେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ।

ଓଡ଼ିଶାକୁ ପ୍ରଶଂସା କରିବା ସହ ରାଜ୍ୟରେ ଏଥର ପରିବର୍ତ୍ତନ ହେବ ବୋଲି କହିଥିଲେ । ତେବେ ଆଜି ନିର୍ବାଚନ ପ୍ରଚାର ପାଇଁ ଆଜି ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଶାହ । ବିମାନବନ୍ଦରରୁ ସ୍ବତନ୍ତ୍ର ବିମାନ ଯୋଗେ ଅପରାହ୍ଣ ଗୋଟାଏ ୩୦ ମିନିଟରେ ଗଂଜାମ ଜିଲ୍ଲାର ସୋରଡ଼ାରେ ପହଞ୍ଚିବେ | ସେଠାରେ ସେ ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି ସନ୍ଧ୍ୟା ୬ଟାରେ କଟକରେ ଏକ ବିଶାଳ ରୋଡ ଶୋ’ରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ କଟକ ବାଲିଯାତ୍ରା ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ୍ ସହ ଶାହଙ୍କ ରୋଡ୍ ଶୋ’ ହେବାକୁ ଥିବା ରାସ୍ତାରେ ପୋଲିସ ପକ୍ଷରୁ ରିହରର୍ସଲ କରାଯାଇଛି। ସେପଟେ ଆଜିଠୁ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଭୁବନେଶ୍ୱରରେ ଆୟୋଜିତ ଏକ ମହିଳା ସମାବେଶରେ ନଡ୍ଡା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହା ସହ ସେ ବରଗଡ଼ ଲୋକସଭା କ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଓ ସୁନ୍ଦରଗଡ଼ରେ ଆୟୋଜିତ ହେବାକୁ ଥିବା ଜନସଭାରେ ଉଦବୋଧଦନ ଦେବା ନେଇ ବିଜେପି ସୂତ୍ରରୁ ସୂଚନା ମିଳିଛି।  ଏଥର ବିଜେପି ଫୋକସରେ ରହିଛି ଓଡ଼ିଶା। ଓଡ଼ିଶାରେ ଗତ ୨୫ ବର୍ଷ ଧରି ବିଜେଡି ସରକାର କ୍ଷମତାରେ ଥିବା ବେଳେ ଏଥର ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେପି। ଏଥିପାଇଁ ବିଜେପି ନିଜର ସବୁ ଶକ୍ତିକୁ ବାଜିରେ ଲଗାଇଥିବା ବେଳେ ପ୍ରାୟ ପ୍ରତିଦିନ କେନ୍ଦ୍ରୀୟ ନେତାଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍ ଶାହଙ୍କ ସମେତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତୀନ ଗଡ଼କରୀ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି।

Leave A Reply

Your email address will not be published.