ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନଙ୍କ ରିପୋର୍ଟକୁ ସାର୍ବଜନୀନ କର: ହାଇକୋର୍ଟଙ୍କ ନିର୍ଦ୍ଦେଶ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଗଠିତ କମିଶନଙ୍କ ରିପୋର୍ଟ ସାର୍ଵଜନୀନ କରିବା ପାଇଁ ଦାୟର ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବତଲବ ନୋଟିସ କରିଛନ୍ତି। କମିଶନଙ୍କ ତଦନ୍ତ ରିପୋର୍ଟ ର ସ୍ଥିତି କଣ ସେ ପ୍ରସଙ୍ଗରେ ଜବାବ ଦାଖଲ କରିବାକୁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଓ ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୋଟିସ ଜାରି କରିଛନ୍ତି। ପିଟିସନରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ରାଜ୍ୟ ସରକାର ଇନକ୍ୱାରୀ ଅଫ୍ କମିଶନ ଆକ୍ଟକୁ ଫଲୋ କରିନାହାନ୍ତି। ନଭେମ୍ବର ୨୦୧୮ରୁ ଜଷ୍ଟିସ ରଘୁବୀର ଦାସ କମିଶନ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିସାରିଥିବା ସତ୍ତ୍ୱେ ସରକାର ଏହାକୁ ସାର୍ବଜନୀନ କରି ନାହାନ୍ତି। ଏହି ଆବେଦନ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ପୁରୀର ସମାଜସେବୀ ଦିଲ୍ଲୀପ ବରାଳ। ମାମଲାକୁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନୁପ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି। ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ। ଚାବି ହଜିବା ପ୍ରସଙ୍ଗ ନେଇ ଜଷ୍ଟିସ୍‌ ରଘୁବୀର ଦାସ କମିସନଙ୍କ ସଚିବ ଗୃହ ବିଭାଗ ଅନୁ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ତଦନ୍ତ କମିସନ୍‌ ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ଏହି ତଦନ୍ତ ରିପୋର୍ଟ ୨୦୧୮ ନଭେମ୍ବର ୩୦ରେ ପ୍ରଦାନ କରିଥିଲେ। ସେ ସମୟରେ ଏ ବାବଦକୁ ରାଜ୍ୟ ସରକାର ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ରିପୋର୍ଟ ଦାଖଲ ହେବା ଚାରି ବର୍ଷ ପୂରିଯାଇଛି। ତଥାପି ରିପୋର୍ଟ ସାର୍ବଜନୀନ ହୋଇପାରିନାହିଁ।

 

Leave A Reply

Your email address will not be published.