ଓଡ଼ିଆ ନ୍ୟୁଜ୍: ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର। ପରିବେଶ, ପ୍ରାକୃତିକ ସମ୍ପଦ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନଏପିଏମ୍) ଆହ୍ୱାନରେ ତଥା ବିଭିନ୍ନ ଜନ ସଂଗଠନମାନଙ୍କ ନେତୃତ୍ବରେ ଏକ ଜନ ସମାବେଶ ଆୟୋଜିତ ହୋଇଯାଇଛି। ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗନ୍ଧମାର୍ଦ୍ଦନରେ ଖଣି ଖନନକୁ ନିଷିଦ୍ଧ କରିବା, ଗ୍ରାମସଭାର ଅନୁମୋଦନ ବିନା ଦିଆଯାଇଥିବା ବିଭିନ୍ନ ଖଣି ଲିଜ୍ ବାତିଲ୍, ବିକାଶ ନାମରେ ବିନାଶ ଓ ବିସ୍ଥାପନ ବନ୍ଦ, ଜଙ୍ଗଲ ଅଧିକାର ଆଇନ- ୨୦୦୬କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ପାଇଁ ଏହି ସମାବେଶରେ ଦାବି କରାଯାଇଛି।
ସେହିପରି ସମସ୍ତ ଭୂମିହୀନଙ୍କୁ ଚାଷ ଓ ବାସୋପଯୋଗୀ ଭୂମି ବଣ୍ଟନ, ଲୋୟର ସୁକତେଲ୍ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ହୋଇଥିବା ପରିବାର ଗୁଡ଼ିକୁ ନ୍ୟାୟ ପ୍ରଦାନ ପାଇଁ କମିଶନ୍ ଗଠନ, ଦାଦନ ସମସ୍ୟାର ନ୍ୟାୟପୂର୍ଣ୍ଣ ସମାଧାନ ଓ କୃଷକ ମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପ୍ରକ୍ରିୟାକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଏହି ସ୍ମାରକପତ୍ରରେ ଦାବି କରାଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ବକ୍ତାମାନେ କହିଥିଲେ ଯେ, ବିକାଶର ମନ୍ଦିର ନାମରେ ପ୍ରତିଷ୍ଠା ହୋଇଥିବା ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁଁଁ ନିଜର ଭିଟାମାଟି ହରାଇ ସର୍ବସ୍ବାନ୍ତ ହୋଇଯାଇଥିବା ଲକ୍ଷାଧିକ କୃଷକ ଆଜି ମଧ୍ୟ ନ୍ୟାୟରୁ ବଞ୍ଚିତ ହୋଇ ରହିଛନ୍ତି। ବିକାଶର ସ୍ଲୋଗାନ ଦେଇ ପ୍ରତିଷ୍ଠା ହୋଇଥିବା ରାଉରକେଲା ଇସ୍ପାତ କାରଖାନା, ରେଙ୍ଗାଲି ନଦୀବନ୍ଧ ଯୋଜନା, ବିଭିନ୍ନ ଲୁହାପଥର ଓ କୋଇଲା ଖଣି ଖନନ, ଡାଲମିଆ ସିମେଣ୍ଟ କାରଖାନା, ଲୋୟର ଇନ୍ଦ୍ର, ଲୋୟର ସୁକତେଲ ଭଳି ଯୋଜନା ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ବିନାଶର କାରଣ ପାଲଟିଯାଇଛି।