ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳର ଆକାଶ ଧୂଆଁମୟ। କୌଣସି ବଡ଼ ମିଜାଇଲ୍ ପରୀକ୍ଷଣ କରାଯାଇଥିବା ଚର୍ଚ୍ଚା। ତେବେ କେଉଁ ମିଜାଇଲ୍ ପରୀକ୍ଷଣ ହୋଇଛି DRDO ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନି। ସନ୍ଧ୍ୟା ପ୍ରାୟ ସାଢେ଼ ୬ଟା ସମୟରେ ଆକାଶରେ ଉଜ୍ବଳ ଆଲୋକ ଦେଖିବାକୁ ମିଳିଥିଲା । କିଛି ସମୟ ପରେ ପୁଣି କେଉଁଆଡ଼େ ଉଭାନ ହୋଇଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆଲୋକ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତି କରି ପୁଣି ମିଳେଇ ଯାଇଥିଲା । କିନ୍ତୁ ଆଲୋକର ରାସ୍ତାରେ ଧୂଆଁର ଦାଗ ରହିଥିଲା ।
ବାଲେଶ୍ବରରେ ହଠାତ ଏହି ଆଲୋକ ତଳୁ ଉପର ଦିଗକୁ ଗତି କରି କିଛି ସମୟ ପରେ ମିଳେଇ ଯାଇଥିଲା । ଯାହାକୁ ନେଇ ଲୋକଙ୍କ ଭିତରେ ବିଭିନ୍ନ ଚର୍ଚ୍ଚା । ଏହି ଆଲୋକ କଣ କିଛି ସ୍ପଷ୍ଟ ହୋଇନି । ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରେ କିଛି ପରୀକ୍ଷଣ ହୋଇଥିବା ଅନୁମାନ କରୁଛନ୍ତି ଲୋକେ । ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଆଲୋକ ଦେଖିବାକୁ ମିଳିଥିବାରୁ ଏହାକୁ ନେଇ ରହସ୍ୟ ବଢ଼ିଛି । ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା ବେଗୁନିଆ ଆଦି ବିଭିନ୍ନ ଅଞ୍ଚଳରେ ଆକାଶରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଆଲୋକକୁ ନେଇ ଲୋକଙ୍କ ଉତ୍କଣ୍ଠା ବଢ଼ୁଛି ।