ଗାଁ ସମସ୍ୟା ସମାଧାନ କରିବାରେ ବିଧାୟକ ବିଫଳ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାରମ୍ବାର ବିଧାୟକଙ୍କୁ ଅଭିଯୋଗ ଜଣାଇବା ସତ୍ତ୍ୱେ ଗାଁର ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଯାହାକୁ ନେଇ ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ସାହି ବ୍ଲକର ଯଦୁନାଥପୁର ଗ୍ରାମ ପଞ୍ଚାୟତବାସୀ ମାନେ ବିଧାୟକ ପ୍ରକାଶ ସୋରେନଙ୍କ ବିରୁଦ୍ଧରେ ତାତିଛନ୍ତି। ଉକ୍ତ ଗ୍ରାମର ସରକାରୀ ରାସ୍ତା, ପାନୀୟ ଜଳ ସମସ୍ୟାର ସମାଧାନ ନହେଲେ ଆଗାମୀ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ଗ୍ରାମ ପଞ୍ଚାୟତରେ ମୋଟ ୧୪ଗୋଟି ୱାର୍ଡ ରହିଥିବା ବେଳେ ପ୍ରାୟତଃ ୪୦୦୦ ଭୋଟର ସହ ଛୋଟ ଓ ବଡ ଲୋକଙ୍କୁ ମିଶାଇ ମୋଟ ୧୦,୫୦୦ ଜଣ ବସବାସ କରନ୍ତି।

ମାତ୍ର ଉକ୍ତ ଗ୍ରାମରେ ରାସ୍ତା ଓ ପାନୀୟ ଜଳର ଘୋର ସମସ୍ୟା ଯୋଗୁଁ ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅସହ୍ୟ ଗ୍ରୀଷ୍ମପ୍ରବାହ ହେଉଥିବା ବେଳେ ପାହାଡ଼ କଡ଼ର ଉକ୍ତ ଗ୍ରାମବାସୀ ମାନେ ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି। ରାସ୍ତା ସମସ୍ୟା ପାଇଁ ରୋଗୀ ନେବାକୁ ଆମ୍ବୁଲାନସ୍ ଗ୍ରାମ ମଧ୍ୟକୁ ପ୍ରବେଶ କରିପାରୁନାହିଁ। ରାଜ୍ୟ ସରକାରଙ୍କ ପକ୍ଷରୁ ସୁଗମ ଗମନାଗମନ ପାଇଁ ଲକ୍ଷ୍ମୀ ସେବା ଆରମ୍ଭ କରିଥିବା ବେଳେ ରାସ୍ତା ସମସ୍ୟା ପାଇଁ ଲକ୍ଷ୍ମୀ ବସ ଗାଁକୁ ଆସି ପାରୁନାହିଁ। ଏଥି ସହିତ ପିଲା ମାନେ ସ୍କୁଲ ମଧ୍ୟ ଯାଇ ପାରୁନାହାଁନ୍ତି। ପୂର୍ବରୁ ବାରମ୍ବାର ଏ ବିଷୟରେ ଲିଖିତ ଭାବେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସମେତ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଅଭିଯୋଗ ଜଣାଇଥିଲେ। କିନ୍ତୁ ବର୍ତମାନ ସୁଦ୍ଧା କିଛି ସୁଫଳ ମିଳିପାରିନାହିଁ। ତେଣୁକରି ଗ୍ରାମ ପଞ୍ଚାୟତର ଭୋଟର ମାନେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ନକରି ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇ ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ନିର୍ବାଚନ ପୂର୍ବରୁ ରାସ୍ତା ଓ ପାନୀୟ ଜଳ ସମସ୍ୟାର ସମାଧାନ ହେବ, ତେବେ ମତଦାନ କରିବେ ବୋଲି କହିଛନ୍ତି।

ବାରିପଦା ବିଧାୟକ ଶ୍ରୀ ସୋରେନ ଘଟଣା ବାବଦରେ ଜାଣି ମଧ୍ୟ ସମସ୍ୟାର ସମାଧାନ ନେଇ କୋଣସି ପଦକ୍ଷେପ ଗ୍ରହଣ ନକରି ୫ବର୍ଷ କାଳ କେବଳ ମିଛ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଗ୍ରାମବାସୀଙ୍କ ନିମନ୍ତେ ରାସ୍ତା ଓ ପାନୀୟ ଜଳ ବ୍ୟବସ୍ଥା କରିନଥିବା କହିଛନ୍ତି। ତେବେ ଉକ୍ତ ସମସ୍ୟାର ସମାଧାନ ନେଇ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ କହିଛନ୍ତି। ପିଏ ଆଇଟିଡିଏ ଉକ୍ତ ଗ୍ରାମ ପରିଦର୍ଶନ କରିଥିବା ବେଳେ ଆସନ୍ତା ୨ଦିନ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ଏଥି ସହିତ ଗ୍ରାମର ରାସ୍ତା ନିର୍ମାଣ କାର୍ଯ୍ୟର ପ୍ରସ୍ତାବ ହୋଇସାରିଥିବା ବେଳେ ନିର୍ବାଚନ ପରେ ଆଦର୍ଶ ଆଚରଣ ବିଧି ସମୟ ସମ୍ପୂର୍ଣ୍ଣ ହେବା ପରେ ରାସ୍ତା ନିର୍ମାଣ କରାଯିବ। ଏନେଇ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଯାଇ ଗ୍ରାମବାସୀ ମାନଙ୍କ ସହିତ ଭୋଟ ବର୍ଜ୍ଜନ ନିଷ୍ପତ୍ତିରୁ ଓହରିବାକୁ ଆଲୋଚନା କରିବେ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଧେ କହିଛନ୍ତି।

Comments are closed.