ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାରବାଟୀ କଟକରୁ ପ୍ରାର୍ଥୀ ହୋଇପାରନ୍ତି ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ। ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ଏଥର ନିର୍ବାଚନରେ ମଇଦାନକୁ ଓହ୍ଲାଇ ପାରନ୍ତି ବୋଲି ଆରମ୍ଭ ହେଲାଣି ଚର୍ଚ୍ଚା। ଏନେଇ ମୋକିମଙ୍କ ଘରେ ସମର୍ଥକଙ୍କୁ ନେଇ ଆରମ୍ଭ ହୋଇ ଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୋକିମଙ୍କ ଜାଗାରେ ଝିଅ ସୋଫିଆଙ୍କୁ ପ୍ରାର୍ଥୀ କରିବାକୁ କର୍ମୀମାନେ ସହମତି ପ୍ରକାଶ କରିଛନ୍ତି ।
ଏବେ କଂଗ୍ରେସରୁ କଟକ ବାରବାଟୀ ବିଧାୟକ ଅଛନ୍ତି ମହମ୍ମଦ ମୋକିମ୍। କଟକ ବାରବାଟୀ ଆସନରୁ ସୋଫିଆ ଫିର୍ଦ୍ଦୋଶ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜୋର ଧରିଛି। ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଲଢିବା ନେଇ ଚର୍ଚ୍ଚା କରାଯାଉଛି। ମହମ୍ମଦ ମୋକିମ କହିଛନ୍ତି, ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛୁ । ୨୪ ବର୍ଷ ତଳର ପୁରୁଣା କେସ୍ରେ ରାଜ୍ୟ ସରକାର ବ୍ୟଗ୍ରତା ଦେଖାଇଲେ। ମାତ୍ର ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇବା ସହ ଜାମିନ ପ୍ରଦାନ କରି ସାରିଛନ୍ତି। ମାତ୍ର ଯେଉଁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲି ସେଥିରେ ରୋକ ଲାଗି ନ ଥିବାରୁ ନିର୍ବାଚନ ଲଢ଼ି ପାରିବିନି। ତେଣୁ ଏବେ କିଏ ମଇଦାନକୁ ଓହ୍ଲାଇବ ସେଥିପାଇଁ କାହା ନାମ ଫାଇନାଲ୍ ହୋଇନି।
କର୍ମୀମାନେ ଝିଅ ନାଁ ଉଠାଉଥିବା ବେଳେ ସେମାନଙ୍କ ପୂର୍ଣ୍ଣ ସମର୍ଥନ ବି ରହିଛି। ଏନେଇ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯିବ । ଏହାପରେ ଝିଅ ସହ ବି ଆଲୋଚନା ହେବ । ତା’ ପରେ ଆମେ ଏନେଇ ପିସିସିକୁ ଜଣାଇବୁ । ଏନେଇ କଂଗ୍ରେସ କର୍ମୀମାନେ କହିଛନ୍ତି, ସୋଫିଆ କଂଗ୍ରେସ ପାଇଁ ନୂଆ ନୁହନ୍ତି। ୨୦୧୪ ନିର୍ବାଚନରେ ସେ ଲୋକଙ୍କ ପାଖକୁ ଯାଇଥିଲେ। ୨୦୧୯ରେ ବି ସେ ଘରକୁ ଘର ବୁଲିଛନ୍ତି। ଉଭୟ ନିର୍ବାଚନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ରାଜନୈତିକ ଅଭିଜ୍ଞତା ଅଛି ।