ବଢ଼ିପାରେ ବିଧାୟକଙ୍କ ଦରମା, ଦୁଇ ଗୁଣରୁ ଅଧିକ ବଢ଼ାଇବାକୁ କମିଟି ପ୍ରସ୍ତାବ ଦେଇଥିବା ସୂଚନା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ତେଲେଙ୍ଗାନାରେ ବିଧାୟକଙ୍କ ମାସିକ ଦରମା ଓ ଭତ୍ତା ଅଢ଼େଇ ଲକ୍ଷ ଟଙ୍କା। ମହାରାଷ୍ଟ୍ରରେ ୨ ଲକ୍ଷ ୩୨ ହଜାର ଓ କର୍ଣ୍ଣାଟକରେ ବିଧାୟକଙ୍କୁ ମିଳୁଛି ୨ ଲକ୍ଷ ଟଙ୍କା । ୟୁପିରେ ଏକ ଲକ୍ଷ ୮୭ ହଜାର ଟଙ୍କା । ଉତ୍ତରାଖଣ୍ଡରେ ବିଧାୟକଙ୍କ ଦରମା ରହିଛି ୧ ଲକ୍ଷ ୬୦ ହଜାର ଟଙ୍କା । ଓଡ଼ିଶାରେ ଏବେ ବିଧାୟକ ମାସକୁ ଦରମା ଓ ଭତ୍ତା ମିଶି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଉଛନ୍ତି। ଦିନକୁ ଦିନ ଦରଦାମ ବଢୁଥିବାରୁ ଏହି ବିଧାୟକଙ୍କ ପାଇଁ ଯଥେଷ୍ଟ ହେଉନାହିଁ । ଏଥିପାଇଁ ଦରମା ବଢ଼ାଇବାକୁ ବିଧାନସଭାରେ ବିଧାୟକମାନେ ଦଳମତ ନିର୍ବିଶେଷରେ ଦାବି କରିଛନ୍ତି । ଆଜି ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇଥିଲେ । ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଉ। ଏହାକୁ ସବୁ ଦଳର ବିଧାୟକ ସମର୍ଥନ କରିଛନ୍ତି । …

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ଏବଂ ଭତ୍ତା ବୃଦ୍ଧି ପ୍ରସଙ୍ଗରେ ପୂର୍ବରୁ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା। ବିଭିନ୍ନ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତାକୁ ବିଚାର କରି ଏ କମିଟି ରାଜ୍ୟର ବିଧାୟକଙ୍କ ଦରମା ୧ ଲକ୍ଷରୁ ଅଢ଼େଇ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରଖିଥିବା ସୂଚନା ମିଳିଛି । ଗୃହର ନେତାଙ୍କ ସହ ଆଲୋଚନା କରି ଏ ସଂକ୍ରାନ୍ତରେ ବିଲ୍‌ ଆଣିବାକୁ ବାଚସ୍ପତି ସଂସଦୀୟ ବ୍ୟାପର ମନ୍ତ୍ରୀଙ୍କୁ କହିଛନ୍ତି ।

ପୂର୍ବରୁ ଗତ ୨୦୧୭ ସେପ୍ଟେମ୍ବରରେ ଓଡ଼ିଶା ସରକାର ବିଧାୟକ, ମନ୍ତ୍ରୀଙ୍କର ଦରମା ବଢ଼ାଇଥିଲେ । ସେତେବେଳେ ଦରମା ଓ ଭତ୍ତାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ହୋଇଥିଲା । ଆଗକୁ ବିଧାୟକଙ୍କ ଦରମା କେତେ ବଢିବ ତାହାକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା।…

Leave A Reply

Your email address will not be published.