ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ୧୮ତମ ଲୋକସଭାର ଉଦଘାଟନୀ ଅଧିବେଶନ ଆରମ୍ଭ ହେବାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅଧିବେଶନ ପୂର୍ବରୁ କଟକ ଏମ୍ପି ଭର୍ତ୍ତୃହରି ମହତାବ ରାଷ୍ଟ୍ରପତି ଭବନରେ କମାଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି । ସଂସଦରେ ନବନିର୍ବାଚିତ ୨୮୦ ଜଣ ଏମ୍ପିଙ୍କୁ ଆଜି ଶପଥ ପାଠ କରାଇବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍ପି ଭାବେ ଶପଥ ଗ୍ରହଣ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ପରେ ପରେ ରାଜନାଥ ସିଂହ ଏବଂ ନୀତିନ୍ ଗଡ଼କାରୀ ଶପଥ ଗ୍ରହଣ କରିଛନ୍ତି । ତୃତୀୟ ପାଳିର ପ୍ରଥମ ଅଧିବେଶନ ଆରମ୍ଭ ପୂର୍ବରୁ ସାଂସଦ ତଥା ଦେଶବାସୀଙ୍କ ପ୍ରତି ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି, ‘ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ ତମ ଲୋକସଭାର ପ୍ରାରମ୍ଭ ହେଉଛି । ଚଳିତ ନିର୍ବାଚନ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ, ସାନଦାର ଭାବେ ଗୌରବମୟ ଭାବେ ସମ୍ପନ୍ନ ହୋଇଛି ।
ଏହା ୧୪୦ କୋଟି ଦେଶବାସୀଙ୍କ ପାଇଁ ଗର୍ବର କଥା । ଏଥିରେ ୬୫ କୋଟିରୁ ଅଧିକ ଭୋଟର ଭାଗ ନେଇଛନ୍ତି। ‘ଏହି ନିର୍ବାଚନ ଏଥିପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ, ସ୍ୱାଧୀନତା ପରେ ଦ୍ୱିତୀୟ ଥର କୌଣସି ସରକାରଙ୍କୁ ଲଗାତାର ତୃତୀୟ ଥର ସେବା କରିବାକୁ ଜନତା ସୁଯୋଗ ଦେଇଛନ୍ତି । ଏହି ସୁଯୋଗ ୬୦ ବର୍ଷ ପରେ ଆସିଛି । ଏହା ସାରା ବିଶ୍ୱରେ ଦେଶ ପାଇଁ ଗୌରବର କଥା ।